Latest Odisha News

BREAKING NEWS

LIC, EPFO funds: ୧୬,୬୦୦ କୋଟି… ଏ ଟଙ୍କା କାହାର?

ନୂଆଦିଲ୍ଲୀ: ଆପଣଙ୍କର କିମ୍ବା ଆପଣଙ୍କ ପରିବାରର କୌଣସି ପୁରୁଣା LIC ପଲିସି ଅଛି କି?

ବହୁଦିନ ଧରି ବନ୍ଦ ପଡ଼ିଛି କି EPF ଆକାଉଣ୍ଟ?

ତେବେ ଏହି ଖବର ଆପଣଙ୍କ ପାଇଁ।

କାରଣ ପଡିରହିଛି କୋଟି କୋଟି ଭୂତ ଟଙ୍କା…ନାହାନ୍ତି କେହି ଦାବିଦାର । ସରକାର ଖୋଜିବେ ମାଲିକ କିଏ? ଦେଶରେ ହଜାର ହଜାର କୋଟି ଟଙ୍କା ଏବେ ବି LIC ଓ EPFOରେ ଦାବିହୀନ ଭାବେ ପଡ଼ିରହିଛି। ଏହି ଟଙ୍କାକୁ ସରକାର ଅନ୍ୟ କାମରେ ବ୍ୟବହାର କରିବେ କି ନାହିଁ, ସେନେଇ ଚର୍ଚ୍ଚା ମଧ୍ୟରେ ଲୋକସଭାରେ କେନ୍ଦ୍ର ସରକାର ସ୍ପଷ୍ଟ ଉତ୍ତର ଦେଇଛନ୍ତି।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, LICର ଦାବିହୀନ ପାଣ୍ଠିକୁ କିମ୍ବା EPFOର ନିଷ୍କ୍ରିୟ ଖାତାର ଟଙ୍କାକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବାର ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ବର୍ତ୍ତମାନର ନିୟମ ଓ ସେଟଲମେଣ୍ଟ ବ୍ୟବସ୍ଥା ପୂର୍ବଭଳି ଜାରି ରହିବ।

ସରକାରୀ ତଥ୍ୟ ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା LIC ପାଖରେ ୭,୩୧୮.୫୦ କୋଟି ଟଙ୍କାର ଦାବିହୀନ ପାଣ୍ଠି ରହିଛି। ଏଥିରୁ ୫,୫୬୪.୫୫ କୋଟି ଟଙ୍କା ପଲିସିଧାରୀ ଓ ନାମାଙ୍କିତ ବ୍ୟକ୍ତିଙ୍କର, ଯେଉଁଠାରେ ୧,୭୫୩.୯୫ କୋଟି ଟଙ୍କା ସୁଧ ଭାବେ ଜମା ହୋଇଛି। IRDAIର ୧୯ ଜୁନ୍ ୨୦୨୪ ମାଷ୍ଟର ସର୍କୁଲାର ଅନୁଯାୟୀ, ୧୦ ବର୍ଷରୁ ଅଧିକ ସମୟ ଧରି କୌଣସି ବୀମା ରାଶି ଦାବି କରାନଗଲେ, ତାହାକୁ ଦାବିହୀନ ଅର୍ଥରାଶି ଭାବେ ଘୋଷଣା କରାଯାଇ, ତାହା ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠି ବା Senior Citizen Welfare Fund (SCWF)କୁ ସ୍ଥାନାନ୍ତର କରାଯାଏ। ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ପ୍ରସ୍ତାବ ନାହିଁ।

EPFO ସମ୍ପର୍କରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। EPFOରେ “ଦାବିହୀନ ଖାତା” ବୋଲି କିଛି ନାହିଁ। ଏଗୁଡ଼ିକ “ଇନଅପରେଟିଭ୍” ବା ନିଷ୍କ୍ରିୟ EPF ଆକାଉଣ୍ଟ, ଯେଉଁଥିରେ ଦୀର୍ଘଦିନ ଧରି ଜମା ହୋଇନଥିଲେ ମଧ୍ୟ ଟଙ୍କାର ମାଲିକାନା ସଦସ୍ୟଙ୍କର ହିଁ ରହିଥାଏ। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଏପରି ନିଷ୍କ୍ରିୟ EPF ଖାତାରେ ୯,୩୩୦.୫୬ କୋଟି ଟଙ୍କା ରହିଛି।

ମୋଟାମୋଟି କହିବାକୁ ଗଲେ, LICର ୭,୩୧୮ କୋଟି ଏବଂ EPFOର ୯,୩୩୦ କୋଟି, ଅର୍ଥାତ୍ ୧୬,୬୦୦ କୋଟି ଟଙ୍କାରୁ ଅଧିକ ପାଣ୍ଠି ଏବେ ବି ଦାବିଦାରଙ୍କ ଅପେକ୍ଷାରେ ରହିଛି। ସରକାର ସ୍ପଷ୍ଟ କରିଛନ୍ତି, ଏହି ଟଙ୍କାକୁ ଅନ୍ୟ କୌଣସି କାମରେ ବ୍ୟବହାର କରାଯିବ ନାହିଁ, ବରଂ ପ୍ରକୃତ ହକଦାରଙ୍କୁ ଟଙ୍କା ଫେରାଇବା ପାଇଁ ପ୍ରଚେଷ୍ଟା ଆହୁରି ଜୋରଦାର କରାଯିବ। ତେବେ ପଲିସିଧାରୀ ଓ ନାମାଙ୍କିତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ LIC ବ୍ୟାପକ ପଦକ୍ଷେପ ନେଉଛି। ଅଫିସିଆଲ ୱେବସାଇଟ୍, SMS, ଚିଠି, ଇ-ମେଲ୍, ଏଜେଣ୍ଟ, ବୀମା ସଖୀ ଓ କ୍ରେଡିଟ ବ୍ୟୁରୋ ମାଧ୍ୟମରେ ଦାବିଦାରଙ୍କ ସହ ଯୋଗାଯୋଗ କରାଯାଉଛି। “ଆପଣଙ୍କ ଟଙ୍କା, ଆପଣଙ୍କ ଅଧିକାର (Your Money, Your Right)” ଅଭିଯାନ ମାଧ୍ୟମରେ ମଧ୍ୟ ସଚେତନତା ବଢ଼ାଯାଉଛି।ତେଣୁ ଆପଣଙ୍କର କୌଣସି ପୁରୁଣା LIC ପଲିସି କିମ୍ବା EPF ଖାତା ଥିଲେ, ତୁରନ୍ତ ତାହା ଯାଞ୍ଚ କରି ନିଜ ଅର୍ଥ ଦାବି କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

Leave A Reply

Your email address will not be published.