CJP Protest: ଇସ୍ତଫା ଦେବେ କି ଧର୍ମେନ୍ଦ୍ର ପ୍ରଧାନ? କାହିଁକି ଅନଶନ ଭାଙ୍ଗିଲେ ସୋନମ? ଦିପକେ ସ୍ପଷ୍ଟ କହିଦେଲେ ଆନ୍ଦୋଳନ…
ନୂଆଦିଲ୍ଲୀ: ଦୀର୍ଘ ୨୬ ଦିନର ଅନିର୍ଦ୍ଦିଷ୍ଟକାଳୀନ ଅନଶନ ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଶେଷରେ ନିଜର ଉପବାସ ଭଙ୍ଗ କରିଛନ୍ତି। ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ଆଶ୍ୱାସନା ମିଳିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
ୱାଙ୍ଗଚୁକଙ୍କ କହିବା ଅନୁସାରେ, ସରକାର ପରୀକ୍ଷା ବ୍ୟବସ୍ଥାର ଜବାବଦେହିତା ଓ ସଂସ୍କାର ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛି। ଏହାଛଡ଼ା, NEET ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସକାରାତ୍ମକ ଭାବେ ବିଚାର କରାଯିବ ବୋଲି ସରକାର ଆଶ୍ୱାସନା ଦେଇଛି। ସେହିପରି ଦିଲ୍ଲୀର ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀ ଓ ଜୁଲାଇ ୨୦ର ସଂସଦ ଅଭିମୁଖେ ପଦଯାତ୍ରାରେ ସାମିଲ ଥିବା ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯିବ ନାହିଁ ବୋଲି ମଧ୍ୟ କୁହାଯାଇଛି।
ସୋନମ ୱାଙ୍ଗଚୁକ୍ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳର ମୋଟ ୬୫ ଜଣ ସାଂସଦ ତାଙ୍କୁ ଅନଶନ ଭାଙ୍ଗିବାକୁ ଅନୁରୋଧ କରିଥିଲେ। ଦୀର୍ଘ ଆଲୋଚନା ଓ ଦେଶରେ ସମ୍ଭାବ୍ୟ ହିଂସାକୁ ଏଡ଼ାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଖୁବଶୀଘ୍ର ସମସ୍ତ ସର୍ତ୍ତ ସମ୍ପର୍କରେ ସେ ଆଉ ଏକ ଭିଡିଓ ଜାରି କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ସେ ଦେଶବାସୀଙ୍କୁ ଶାନ୍ତି ବଜାୟ ରଖିବା ସହ କୌଣସି ପ୍ରକାର ହିଂସା ନ କରିବାକୁ ଆହ୍ୱାନ ଜଣାଇଛନ୍ତି।
ଅନ୍ୟପଟେ, ୱାଙ୍ଗଚୁକ୍ ଅନଶନ ଶେଷ କରିଥିଲେ ମଧ୍ୟ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନ ଥମିନାହିଁ। କକରୋଚ୍ ଜନତା ପାର୍ଟି (CJP) ସ୍ପଷ୍ଟ କରିଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ। ଦଳର ସଂସ୍ଥାପକ ଅଭିଜିତ ଦିପକେ କହିଛନ୍ତି, “ସୋନମ ୱାଙ୍ଗଚୁକ ଅନଶନ ରି ଓହରି ଯାଇଥିବା ଏକ ଭଲ ଖବର, କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାଠାରୁ କମ୍ କିଛି ବି ଗ୍ରହଣଯୋଗ୍ୟ ନୁହେଁ।” ଯେ ପର୍ଯ୍ୟନ୍ତ ସେ ଇସ୍ତଫା ଦେଇନାହାଁନ୍ତି ସେ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ।
ତେବେ ସିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତାର ଜବାବଦେହିତା ନିର୍ଦ୍ଧାରଣ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, NEET ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍ ପ୍ରତ୍ୟାହାର ଦାବି କରାଯାଇଛି। ଏପରି ସ୍ଥିତିରେ ୱାଙ୍ଗଚୁକ୍ ଅନଶନ ଭାଙ୍ଗିଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ନେଇ ଆନ୍ଦୋଳନ ଓ ରାଜନୈତିକ ଚାପ ଜାରି ରହିଛି। ତେବେ ସିଜେପିର ଆଗାମୀ ପଦକ୍ଷେପ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଉଛନ୍ତି କି ନାହିଁ? ତାହା ଉପରେ ସମସ୍ତଙ୍କ ନଜର ରହିଛି।