Paper Leak Punishments: ପେପର ଲିକ୍ ବିରୋଧରେ କଠୋର ହେଲେ ମୋଦି ସରକାର; ସଂଶୋଧିତ ବିଲ୍କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି, ୧୦ ବର୍ଷ ଜେଲ୍ ଓ ୧୦ କୋଟି ଟଙ୍କା ଜରିମାନା ପ୍ରସ୍ତାବ
ନୂଆଦିଲ୍ଲୀ: ଦେଶରେ ପେପର ଲିକ୍କୁ ନେଇ ବଢ଼ୁଥିବା ବିବାଦ ଓ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS), କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ୍ ଆଫେୟାର୍ସ (CCEA) ଏବଂ ପରବର୍ତ୍ତୀ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ସଂଶୋଧିତ ପେପର ଲିକ୍ ବିଲ୍ର ଖସଡ଼ାକୁ ଅନୁମୋଦନ ଦିଆଯାଇଛି।
ସରକାର ‘ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) ଆକ୍ଟ, ୨୦୨୪’କୁ ଆହୁରି କଡ଼ା କରିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହରେ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ଏହି ସଂଶୋଧିତ ବିଲ୍କୁ ଉପସ୍ଥାପନ କରାଯିବାକୁ ସରକାର ପ୍ରସ୍ତୁତି କରୁଛନ୍ତି।
ସଂଶୋଧିତ ବିଲ୍ରେ ପେପର ଲିକ୍ ମାମଲାରେ ଜଡ଼ିତ ବ୍ୟକ୍ତି ଓ ଚକ୍ରଙ୍କ ବିରୋଧରେ କଠୋର ଦଣ୍ଡବିଧାନର ପ୍ରସ୍ତାବ ରହିଛି। ଏଥିରେ, ସର୍ବାଧିକ ୧୦ ବର୍ଷ କାରାଦଣ୍ଡ, ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା, ପେପର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ସ୍ପେଶାଲ୍ ଫାଷ୍ଟ-ଟ୍ରାକ୍ କୋର୍ଟକୁ ଆଇନଗତ ସ୍ୱୀକୃତି, ତଦନ୍ତ ଓ ରାୟ ୩ ମାସ ମଧ୍ୟରେ ଶେଷ କରିବାର କ୍ଷମତା ଫାଷ୍ଟ-ଟ୍ରାକ୍ କୋର୍ଟକୁ ପ୍ରଦାନ କରାଯିବ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, “ପେପର ଲିକ୍ କୌଣସି ସାଧାରଣ ଘଟଣା ନୁହେଁ। ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ଭବିଷ୍ୟତ ସହ ଜଡ଼ିତ।” ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନ ଆଣାଯିବ ବୋଲି ସେ ସ୍ପଷ୍ଟ କରିଥିଲେ।
ଅନ୍ୟପଟେ ପେପର ଲିକ୍କୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ CJP ସରକାରୀ କାର୍ଯ୍ୟାଳୟ କିମ୍ବା ମନ୍ତ୍ରୀଙ୍କ ବାସଭବନରେ ଆଲୋଚନାକୁ ମନା କରି ଏକ ନିରପେକ୍ଷ ସ୍ଥାନରେ ବୈଠକ କରିବାକୁ ଦାବି କରିଥିଲା। ଏହା ପରେ କନଷ୍ଟିଚ୍ୟୁସନ୍ କ୍ଲବ୍କୁ ବୈଠକ ସ୍ଥାନ ଭାବେ ବଛା ଯାଇଥିଲା। ଏହି ବୈଠକରେ ବୈଠକରେ CJP ପକ୍ଷରୁ କେତେକ ପ୍ରମୁଖ ଦାବି ଉଠାଯାଇଛି, କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ପାଇଁ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଭଳି ଦାବି ରହିଛି ।
ସେପଟେ ସରକାରଙ୍କ ଦୁଇମୁଖୀ ରଣନୀତି ନେଇ ଏବେ ଚର୍ଚ୍ଚ ଜୋର ରହିଛି । କେନ୍ଦ୍ର ସରକାର ଏବେ ଦୁଇଟି ମୋର୍ଚ୍ଚାରେ କାମ କରୁଛନ୍ତି। ଗୋଟିଏ ପଟେ ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା ମାଧ୍ୟମରେ ଆନ୍ଦୋଳନର ସମାଧାନ ଖୋଜାଯାଉଥିବା ବେଳେ, ଅନ୍ୟପଟେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଜବାବଦେହିତା ଏବଂ ପେପର ଲିକ୍ ରୋକିବା ପାଇଁ ଆଇନକୁ ଆହୁରି କଡ଼ା କରିବା ଦିଗରେ ସରକାର ଚୂଡ଼ାନ୍ତ ପଦକ୍ଷେପ ନେଉଛନ୍ତି।