Latest Odisha News

BREAKING NEWS

Marriage Equality: “କେବଳ ସ୍ବାମୀ କାହିଁକି…ସ୍ତ୍ରୀ ବି ବହନ କରନ୍ତୁ ଘର ଏବଂ ପିଲାଙ୍କ ଖର୍ଚ୍ଚ…”

ମୁମ୍ବାଇ: ସ୍ୱାମୀ-ସ୍ତ୍ରୀ ଉଭୟ ରୋଜଗାର କରୁଥିଲେ କେବଳ ସ୍ୱାମୀଙ୍କ ଉପରେ ସମସ୍ତ ଆର୍ଥିକ ଦାୟିତ୍ୱ ଛାଡ଼ି ଦିଆଯାଇପାରିବ ନାହିଁ। ପରିବାରର ଜୀବନଶୈଳୀ ଓ ସନ୍ତାନଙ୍କ ଶିକ୍ଷା ଖର୍ଚ୍ଚ ପାଇଁ ଉଭୟଙ୍କୁ ସମାନ ଭାବେ ସହଯୋଗ କରିବାକୁ ପଡ଼ିବ। “ସମାନତାକୁ ନିଜ ସୁବିଧା ଅନୁସାରେ ଦାବି କରାଯାଇପାରିବ ନାହିଁ” ବୋଲି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ବମ୍ବେ ହାଇକୋର୍ଟ।

ଜଷ୍ଟିସ୍ ଏମ୍‌. ଏମ୍‌. ସାଥାୟେଙ୍କ ଏକକ ଖଣ୍ଡପୀଠ ଜଣେ ସ୍ୱାମୀଙ୍କ ଆବେଦନର ଶୁଣାଣି କରି ପୂର୍ବରୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିବା ମାସିକ ୫୦ ହଜାର ଟଙ୍କା ଭରଣପୋଷଣ ରାଶିକୁ ୨୫ ହଜାର ଟଙ୍କାକୁ ହ୍ରାସ କରିଛନ୍ତି। ଏହି ରାଶି ସ୍ତ୍ରୀ ଓ ନାବାଳକ ପୁଅଙ୍କ ପାଇଁ ଧାର୍ଯ୍ୟ କରାଯାଇଥିଲା।

ମାମଲାରେ ସ୍ୱାମୀ କହିଥିଲେ ଯେ, ସେ ମୁମ୍ବାଇର ଅନ୍ଧେରୀରେ ଥିବା ଘର, ଯେଉଁଠାରେ ସ୍ତ୍ରୀ ଓ ପୁଅ ରହୁଛନ୍ତି, ସେହି ଘରର ଇଏମ୍‌ଆଇ ଦେଉଛନ୍ତି। ଏହାଛଡ଼ା ନବୀ ମୁମ୍ବାଇର ପାନଭେଲରେ ଥିବା ଅନ୍ୟ ଏକ ଘରର ଇଏମ୍‌ଆଇ ମଧ୍ୟ ସେ ନିଜେ ଦେଉଛନ୍ତି। କିନ୍ତୁ ସ୍ତ୍ରୀ ଏହି ଇଏମ୍‌ଆଇରେ କୌଣସି ଆର୍ଥିକ ସହଯୋଗ କରୁନାହାନ୍ତି। ଅନ୍ୟପଟେ ସେ ନିଜେ ବିହାରରେ ରହୁଛନ୍ତି।

ସ୍ୱାମୀ ଅଦାଲତରେ କହିଥିଲେ ଯେ, ସ୍ତ୍ରୀଙ୍କୁ ବିହାରକୁ ଆସି ତାଙ୍କ ସହ ରହିବାକୁ କିମ୍ବା ଅନ୍ତତଃ ପାନଭେଲ ଘରକୁ ସ୍ଥାନାନ୍ତର ହେବାକୁ ସେ ଅନୁରୋଧ କରିଥିଲେ। ଏହା ହେଲେ ଅନ୍ଧେରୀ ଘର ବିକ୍ରି କରି ତାଙ୍କ ଆର୍ଥିକ ବୋଝ କମାଇ ପାରିଥାନ୍ତେ। କିନ୍ତୁ ସ୍ତ୍ରୀ ଏହାକୁ ମନା କରିଦେଇଥିଲେ।

ହାଇକୋର୍ଟ କହିଛନ୍ତି, ଅନ୍ଧେରୀ ପରି ଦାମୀ ଅଞ୍ଚଳରେ ଇଏମ୍‌ଆଇ ନ ଦେଇ ରହିବାକୁ ଚାହୁଁଥିଲେ, ସେହି ଆର୍ଥିକ ବୋଝକୁ ଆଧାର କରି ସ୍ୱାମୀ ଭରଣପୋଷଣ ରାଶି କମାଇବାକୁ ଅନୁରୋଧ କରିବା ସ୍ୱାଭାବିକ। ଅଦାଲତ ଆହୁରି କହିଛନ୍ତି, “ସମାନତାର ଦାବି କେବଳ ସୁବିଧା ଅନୁଯାୟୀ କରାଯାଇପାରିବ ନାହିଁ। ଉଭୟ ସ୍ୱାମୀ-ସ୍ତ୍ରୀ ରୋଜଗାର କରୁଥିଲେ ପରିବାରର ଜୀବନଶୈଳୀ ବଜାୟ ରଖିବା ଓ ସନ୍ତାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ଦୁହେଁ ସମାନ ଭାବେ ଖର୍ଚ୍ଚ ବହନ କରିବା ଉଚିତ।”

ସ୍ୱାମୀ ଆହୁରି ଦର୍ଶାଇଥିଲେ ଯେ, କୋଭିଡ୍-୧୯ ମହାମାରୀ ସମୟରେ ତାଙ୍କ ଚାକିରି ଚାଲିଯାଇଥିଲା। ବର୍ତ୍ତମାନ ସେ ପୂର୍ବ ତୁଳନାରେ କମ୍ ଦରମାରେ କାମ କରୁଥିବାରୁ ଗୁରୁତର ଆର୍ଥିକ ଚାପରେ ଅଛନ୍ତି। ଏହି ଦାବିକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି ଯେ, କୋଭିଡ୍ ମହାମାରୀ ଅନେକ ଲୋକଙ୍କ ଚାକିରି ଓ ବ୍ୟବସାୟକୁ ପ୍ରଭାବିତ କରିଥିଲା। ତେଣୁ ସ୍ୱାମୀଙ୍କ ଆୟ କମିଯିବାର ଯଥେଷ୍ଟ କାରଣ ରହିଛି।

Leave A Reply

Your email address will not be published.