Latest Odisha News

BREAKING NEWS

Monsoon Session: ସଂସଦରେ ବିରୋଧୀଙ୍କ ହଙ୍ଗାମା, ୨ଟା ଯାଏଁ ରାଜ୍ୟସଭା ମୁଲତବୀ, ରାହୁଲଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ‘ଦ ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) (ସଂଶୋଧନ) ବିଲ୍, ୨୦୨୬’ ଉପରେ ବୁଧବାର ଲୋକସଭାରେ ଦ୍ୱିତୀୟ ଦିନ ପାଇଁ ଆଲୋଚନା ଜାରି ରହିଛି। ଆଜି ଏହି ବିଲ୍‌କୁ ଲୋକସଭାରେ ଅନୁମୋଦନ ମିଳିପାରେ। ତେବେ ବିଲ୍‌କୁ ନେଇ ସଂସଦରେ ତୀବ୍ର ହଙ୍ଗାମା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ବିଲ୍ ଉପରେ ନିଜ ମତ ରଖିବେ ଏବଂ ସରକାର ମଧ୍ୟ ଆଲୋଚନାର ଜବାବ ଦେବେ।

କଂଗ୍ରେସ ପକ୍ଷରୁ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଘେରିବା ରଣନୀତି ଜାରି ରହିଛି। ମଙ୍ଗଳବାର ଲୋକସଭାରେ ପ୍ରିୟଙ୍କା ଗାନ୍ଧୀ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କରିଥିବା ମନ୍ତବ୍ୟକୁ କାର୍ଯ୍ୟବିବରଣୀରୁ ହଟାଯାଇଛି। ତେବେ ପ୍ରିୟଙ୍କା କହିଛନ୍ତି ଯେ, ସେ ନିଜ ବୟାନକୁ ପ୍ରମାଣ ସହ ଉପସ୍ଥାପନ କରିବେ। ଏହାକୁ ନେଇ ଆଜି ମଧ୍ୟ ସଦନରେ ଉତ୍ତେଜନା ରହିବାର ସମ୍ଭାବନା ରହିଛି।

ଏପଟେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ପ୍ରଶ୍ନ କରିଛନ୍ତି ଯେ, ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସଦନରେ ଉପସ୍ଥିତ ନାହାନ୍ତି। ସେ କହିଛନ୍ତି, ବିରୋଧୀ ଦଳର ମୁଖ୍ୟ ଦାବି ହେଉଛି ଗୃହମନ୍ତ୍ରୀ ଏହି ପ୍ରସଙ୍ଗରେ ଜବାବ ଦିଅନ୍ତୁ। କିନ୍ତୁ ସେ ଉପସ୍ଥିତ ନଥିବାରୁ ଏହା ସମ୍ଭବ ହେଉନାହିଁ।

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ସମୟରେ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ, ପେପର ଲିକ୍ ଓ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ପ୍ରସଙ୍ଗ ଉଠାଇପାରନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପଟେ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହର କାର୍ଯ୍ୟବାହୀକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଲୋକସଭାରେ କାର୍ଯ୍ୟବାହୀ ଚାଲିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରୁଛନ୍ତି।

Leave A Reply

Your email address will not be published.