Latest Odisha News

BREAKING NEWS

କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାରେ ପ୍ରାଥମିକ ଚାର୍ଜସିଟରେ ସାଂଘାତିକ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାକୁ ୩ ମାସ ପୁରିବାକୁ ଯାଉଛି । ଏହା ପୂର୍ବରୁ ପୂର୍ବରୁ ତଦନ୍ତକାରୀ ଟିମ୍ ଟ୍ରାଏଲ୍ କୋର୍ଟରେ ୨୦ ଜଣ ଅଭିଯୁକ୍ତଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟ୍ ଅନୁସାରେ, ସୌମ୍ୟରଞ୍ଜନଙ୍କ ହତ୍ୟା ଯୋଜନାବଦ୍ଧ ଭାବେ ହୋଇନଥିଲା । ପୂର୍ବରୁ କିଛି ବିଧିବଦ୍ଧ ଯୋଜନା ନଥିଲା କି କେହି ଷଡ଼ଯନ୍ତ୍ର କରିନଥିଲେ ।

ଯୁବତୀଙ୍କ ସହ ଝଗଡ଼ାରୁ ସଂଘବଦ୍ଧ ଆକ୍ରମଣ ଆଉ ପରେ ହତ୍ୟା । ସବୁକିଛି ଅଚାନକ ଘଟିଛି । ଜଣକ ପରେ ଜଣେ ସାମିଲ ହୋଇ ଏକ ବଡ଼ ଭିଡ଼ରେ ପରିଣତ ହେବା ପରେ ସୌମ୍ୟଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା ବୋଲି ଚାର୍ଜସିଟ୍ ରେ ଉଲ୍ଲେଖ ରହିଛି । ୫ ଶହରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ରେ ଏଯାବତ୍ ସରିଥିବା ତଦନ୍ତକୁ ନେଇ ବିସ୍ତୃତ ତଥ୍ୟ ରହିଛି ।

ତେବେ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ସୋସିଆଲ୍ ମିଡିଆରୁ ଜବତ ଭିଡିଓ-ଫଟୋ, ଅଭିଯୁକ୍ତଙ୍କର ଫୋନ୍ ଲୋକେସନ୍ ତଥ୍ୟ, କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଘଟଣାସ୍ଥଳରେ ପହଞ୍ଚିଥିବା ବାଲିଅନ୍ତା ଥାନା କର୍ମଚାରୀଙ୍କ ବୟାନ, କ୍ୟାପିଟାଲ୍ ହସ୍ପିଟାଲରୁ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ସୌମ୍ୟଙ୍କ ପ୍ରଥମ ଫୋନ ସହ ଜବତ ଭିଡିଓର ଫୋରେନ୍ସିକ୍ ରିପୋର୍ଟ, ବାପା ଦୁଃଶାସନ ସ୍ୱାଇଁ ଓ ମାଆ କବିତା ସ୍ୱାଇଁଙ୍କ ବୟାନ ମଧ୍ୟ ଚାର୍ଜସିଟରେ ଯୋଡ଼ାଯାଇଛି ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେବି ୫ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବା ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

Comments are closed.