ସୁପ୍ରିମକୋର୍ଟରେ ‘ଡୋରେମନ୍’ ଓ ‘ସ୍ପାଇଡରମ୍ୟାନ୍’ ଯୁକ୍ତି: କାର୍ଟୁନ୍ ରୂପରେ ଆସିବେ କାଳିଆ ସାଆନ୍ତ, ରିଲିଜ୍ ହେବ ଆନିମେଟେଡ୍ ଫିଲ୍ମ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଆନିମେଟେଡ୍ (କାର୍ଟୁନ୍) ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ଦିନ ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ ଜୁଲାଇ ୧୭ ତାରିଖରେ ଦେଇଥିବା ନିଜର ପୂର୍ବ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ରଥଯାତ୍ରା ପରେ ଏହି ଫିଲ୍ମର ରିଲିଜ୍ ପାଇଁ ଆଉ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଏହି ମାମଲାର ଶୁଣାଣି ସମୟରେ ମନ୍ଦିର କମିଟି ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜେନେରାଲ୍ (ଏଜି) ପୀତାମ୍ବର ଆଚାର୍ଯ୍ୟ ଏକ ରୋଚକ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଫିଲ୍ମରେ ଶ୍ରୀମନ୍ଦିରର ଆରାଧ୍ୟ ଦେବତାଙ୍କୁ ‘ଡୋରେମନ୍’ ଏବଂ ‘ସ୍ପାଇଡର୍-ମ୍ୟାନ୍’ ଭଳି ଏକ ଆନିମେଟେଡ୍ ରୂପରେ ଚିତ୍ରଣ କରାଯାଇଛି, ଯାହାକି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଏହା ସହିତ ସେ ଅଭିଯୋଗ କରିଥିଲେ ଯେ, ଏକ ସ୍ୱତନ୍ତ୍ର ସ୍କ୍ରିନିଂ ପରେ ଫିଲ୍ମର ନିର୍ମାତାମାନେ ବିବାଦୀୟ ଦୃଶ୍ୟଗୁଡ଼ିକୁ କାଟିବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ପାଳନ କରିନାହାଁନ୍ତି।
ଅନ୍ୟପଟେ ପ୍ରଯୋଜନା ସଂସ୍ଥା (ପ୍ରଡକ୍ସନ୍ ହାଉସ୍) ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଫିଲ୍ମରେ କୌଣସି ପରିବର୍ତ୍ତନ କରାଯିବ ବୋଲି ସେମାନେ କେବେହେଲେ ପ୍ରତିଶ୍ରୁତି ଦେଇନଥିଲେ ବୋଲି ସେ ଯୁକ୍ତି ବାଢ଼ିଥିଲେ।
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଆର୍. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ମନ୍ଦିର ପ୍ରଶାସନର ଆବେଦନକୁ ଖାରଜ କରିଦେଇଥିଲେ। ବିଚାରପତି ନାଗରତ୍ନା କହିଥିଲେ ଯେ, ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ହିଁ ଆନିମେସନ୍ ଫିଲ୍ମ ତିଆରି କରାଯାଏ ଏବଂ କୌଣସି ବି ପ୍ରୋଜେକ୍ଟ କରିବା ପୂର୍ବରୁ ନିର୍ମାତାମାନେ ବ୍ୟାପକ ଗବେଷଣା କରିଥାନ୍ତି। କିଛି ଲୋକଙ୍କ ଆପତ୍ତି ବା ସମ୍ବେଦନଶୀଳତାକୁ ଆଧାର କରି କୌଣସି କଳାକାରର କଳା କିମ୍ବା ସୃଜନଶୀଳତା ଉପରେ ଲଗାମ ଲଗାଯାଇପାରିବ ନାହିଁ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଯଦି ଏହି ଯୁକ୍ତିକୁ ଗ୍ରହଣ କରାଯାଏ, ତେବେ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟ ଉପରେ ଆଧାରିତ ସମସ୍ତ ଚିତ୍ରକଳା, ଟିଭି ସିରିଏଲ୍, ସାହିତ୍ୟ ଏବଂ ଆର୍ଟୱାର୍କକୁ ମଧ୍ୟ ବ୍ୟାନ୍ କରିବାକୁ ପଡ଼ିବ।
ଶେଷରେ ଆବେଦନକୁ ଖାରଜ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଫିଲ୍ମରେ କୌଣସି ପରିବର୍ତ୍ତନ ଆଣିବା ସମ୍ପୂର୍ଣ୍ଣ ଭାବରେ ପ୍ରଯୋଜକଙ୍କ ନିଜସ୍ୱ ଇଚ୍ଛାଧୀନ। ଯଦି ସେମାନେ ଚାହିଁବେ ତେବେ ପରିବର୍ତ୍ତନ କରିପାରିବେ, ମାତ୍ର କୋର୍ଟ ଏହା ଉପରେ କୌଣସି ନିର୍ଦ୍ଦେଶ ଦେବେ ନାହିଁ। ଏହି ରାୟ ଆସିବା ପରେ ଏବେ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ର ସିନେମା ହଲ୍କୁ ଆସିବା ବାଟ ପରିଷ୍କାର ହୋଇଯାଇଛି।