କଟକ: ଉପରମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେବା ପରେ ମହାନଦୀରେ ବନ୍ୟା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ହୁ ହୁ ହୋଇ ବଢୁଥିବା ମହାନଦୀର ଜଳସ୍ତରକୁ ଦେଖି କଟକ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡ୍କୁ ଆସିଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ମଙ୍ଗଳବାର ଦିନ ଏକ ଜରୁରୀକାଳୀନ ଆଡଭାଇଜରି ଜାରି କରିବା ସହ ଅନେକ କଡ଼ା କଟକଣା ଲାଗୁ କରିଛନ୍ତି। ବିଶେଷ କରି ନଦୀବନ୍ଧ ଏବଂ ବ୍ୟାରେଜ୍ଗୁଡ଼ିକରେ ଲୋକଙ୍କ ଭିଡ଼ ଜମାଇବା ଉପରେ ରୋକ୍ ଲଗାଯାଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ମହାନଦୀ, ଏହାର ଶାଖା ନଦୀ ଏବଂ ସମସ୍ତ ଘାଟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ନଦୀ ଭିତରେ ଗାଧୋଇବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବାକୁ କଡ଼ାକଡ଼ି ମନା କରାଯାଇଛି। ବିପଦସଙ୍କୁଳ ଅବସ୍ଥାରେ ବନ୍ୟା ଜଳ ଦେଖିବାକୁ ମୁଣ୍ଡଳୀ, ଜୋବ୍ରା ବ୍ୟାରେଜ୍, ବିଭିନ୍ନ ପୋଲ ଏବଂ ଆନିକଟ୍ଗୁଡ଼ିକରେ ଠିଆ ହେବା, ଗହଳି କରିବା, ସେଲ୍ଫି ନେବା କିମ୍ବା ଭିଡିଓ ସୁଟିଂ କରିବାକୁ ପ୍ରଶାସନ ବାରଣ କରିଛି। ତଳିଆ ଅଞ୍ଚଳ ବା ବାଲିଯାତ୍ରା ପଡ଼ିଆରେ କୌଣସି ପ୍ରକାରର ସଭା ସମିତି କିମ୍ବା ଜନଗହଳି ପାଇଁ ଅନୁମତି ଦିଆଯିବ ନାହିଁ। ଏହା ସହିତ ନଦୀକୂଳ ଏବଂ ତଳିଆ ଅଞ୍ଚଳରେ ହେଉଥିବା ସମସ୍ତ ପ୍ରକାର ଧାର୍ମିକ କାର୍ଯ୍ୟକଳାପ ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ଏହି କଟକଣା ତୁରନ୍ତ ଲାଗୁ କରାଯାଇଛି। ଜିଲ୍ଲାପାଳ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଯଦି କେହି ଏହି ନିୟମଗୁଡ଼ିକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଶାସନର ଏହି ପଦକ୍ଷେପ ଲୋକମାନଙ୍କ ଜୀବନ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ କଟକ ଜିଲ୍ଲାର ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିର ନିକଟରେ ବନ୍ୟା ଜଳ ପହଞ୍ଚିସାରିଲାଣି। ବାଙ୍କୀର ତଳିଆ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଖବର ମିଳିଛି। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତିରେ ଅଛନ୍ତି। କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।