ଭୁବନେଶ୍ୱର: ଆସନ୍ତା ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ଟ୍ରେନ୍ ଯାତ୍ରାକୁ ନେଇ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ସେବା ଭବନ ସ୍ଥିତ କ୍ୟାମ୍ପ ଅଫିସରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ସମୀକ୍ଷା କରାଯାଇଛି। ବିଶେଷ କରି ଟ୍ରେନ୍ରେ ଯାତ୍ରା ସମୟରେ କିଭଳି ଅଭେଦ୍ୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.ପି. କୋଚେ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଏସଏପି ଏଡିଜି ରାଜେଶ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ରେଳପଥ ସୁରକ୍ଷା ଦୃଷ୍ଟିରୁ ଆରପିଏଫ୍ ଆଇଜି ଆଲୋକ ବୋରା, କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏବଂ ବରିଷ୍ଠ ଅଧିକାରୀ ବିବେକାନନ୍ଦ ଶର୍ମା ମଧ୍ୟ ଉପସ୍ଥିତ ରହି ସୁରକ୍ଷା ରୂପରେଖ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ହାଇ ଆଲର୍ଟରେ ଷ୍ଟେସନ, ଲାଗୁ ହେବ ‘ବ୍ଲୁ ବୁକ୍’ ନିୟମ
ସ୍ୱତନ୍ତ୍ର ଟ୍ରେନ୍ରେ ମହାମହିମଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ବ୍ରହ୍ମପୁର ରେଳ ଷ୍ଟେସନକୁ ବର୍ତ୍ତମାନଠାରୁ ହାଇ ଆଲର୍ଟରେ ରଖାଯାଇଛି। ଭିଭିଆଇପି ସୁରକ୍ଷା ପାଇଁ ଉଦ୍ଦିଷ୍ଟ ‘ବ୍ଲୁ ବୁକ୍’ ପ୍ରୋଟୋକଲ୍ ଅନୁଯାୟୀ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଟ୍ରେନ୍ ଚଳାଚଳ ମାର୍ଗ, ଷ୍ଟେସନ ପରିସରରେ ଯାତ୍ରୀଙ୍କ ଭିଡ଼ ନିୟନ୍ତ୍ରଣ, ଏବଂ କୌଣସି ପ୍ରକାର ସନ୍ଦିଗ୍ଧ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।