ଭୁବନେଶ୍ବର: ୯ଟି ଜିଲ୍ଲାରେ ବନ୍ୟା ହୋଇଛି । ରାଜ୍ୟରେ ବନ୍ୟା ପ୍ରଭାବ କେବଳ ଲୋକଙ୍କ ଜୀବନରେ ସୀମିତ ରହିନାହିଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି । ଆଉ ଏପରିସ୍ଥିତିରେ ଗୃହପାଳିତ ପଶୁଙ୍କ ପାଇଁ କିପରି ପଦକ୍ଷେପ ଗ୍ରହଣ କରାଯାଉଛି, ସେନେଇ ଆଜି ତଥ୍ୟ ରଖିଛନ୍ତି, ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ମନ୍ତ୍ରୀ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଏଥିପାଇଁ ହେଲ୍ପ ଲାଇନ୍ ନମ୍ବର 1962 ଜାରି କରାଯାଇଛି । ଏହା ଘଣ୍ଟା କାମ କରୁଛି । ପଶୁ ପକ୍ଷୀ ମାନଙ୍କ ଉଦ୍ଧାର ପାଇଁ ଲୋକମାନେ ଏହାର ସହାୟତା ନେଇପାରିବେ । ମନ୍ତ୍ରୀ ଚାଷୀ ମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଯେ, ନିଜେ ଉଚ୍ଚ ସ୍ଥାନକୁ ଯିବା ସହିତ ନିଜ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ଉଚ୍ଚ ସ୍ଥାନକୁ ନିଅନ୍ତୁ ।
ଜୁଲାଇ ୩୧ ସୁଦ୍ଧା ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁସାରେ ରାଜ୍ୟର ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟାରେ ମୋଟ ୪ ଲକ୍ଷ ୮୮ ହଜାର ୮୬୮ଟି ପଶୁ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି । ଏହାଛଡ଼ା ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ବନ୍ୟାର ପ୍ରଭାବରେ ଆସିଛନ୍ତି । ପଶୁମାନଙ୍କ ସୁରକ୍ଷା ପାଇଁ ୫୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ୨୪୫ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୧୫ ହଜାର ୧୭୯ଟି ପଶୁଙ୍କ ଚିକିତ୍ସା କରାଯାଇଛି । ତେବେ ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଓ ୮୦ ହଜାର ୯୦୦ଟି କୁକୁଡ଼ାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନାଥାଉକି,ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ/ନଡ଼ା ବଣ୍ଟନ କରାଯାଇଛି ।