ନୂଆଦିଲ୍ଲୀ: ସମାଜରେ ବଦଳୁଥିବା ସମ୍ପର୍କର ସମୀକରଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସୋମବାର ଏକ ବଡ଼ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁଯାୟୀ, ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ରୋକିବାକୁ ଥିବା ଭାରତୀୟ ପିଙ୍ଗଳ ବିଧି (ଆଇପିସି)ର ଧାରା ୪୯୮(କ) ବର୍ତ୍ତମାନ କେବଳ ବିବାହିତ ଦମ୍ପତିଙ୍କ ପାଇଁ ସୀମିତ ରହିବ ନାହିଁ, ବରଂ ‘ଲିଭ୍-ଇନ୍ ରିଲେସନସିପ୍’ରେ (ବିବାହ ନକରି ଏକାଠି ରହୁଥିବା) ଥିବା ପାର୍ଟନରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଭାବେ ଲାଗୁ ହେବ। ଏଣିକି ଲିଭ୍-ଇନ୍ରେ ରହୁଥିବା ମହିଳାମାନେ ନିଜ ପାର୍ଟନରଙ୍କ ଦ୍ୱାରା ଘରୋଇ ହିଂସା ବା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହେଲେ ଏହି ଆଇନ ବଳରେ ନ୍ୟାୟ ମାଗିପାରିବେ।
ବିଚାରପତି ସଞ୍ଜୟ କରୋଲ ଏବଂ ବିଚାରପତି ଏନ୍. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଯଦି ଦୁଇ ଜଣ ସାବାଳକ ପରସ୍ପର ସମ୍ମତିରେ ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହୁଛନ୍ତି (ରିଲେସନସିପ୍ ଇନ୍ ଦି ନେଚର୍ ଅଫ୍ ମ୍ୟାରେଜ୍), ତେବେ ସେଠାରେ ପୁରୁଷ ପାର୍ଟନରଙ୍କୁ ‘ସ୍ୱାମୀ’ ଶ୍ରେଣୀରେ ବିବେଚନା କରାଯିବ। କେବଳ ଏକ ଔପଚାରିକ ବିବାହ ପ୍ରମାଣପତ୍ର ନଥିବା କାରଣରୁ କୌଣସି ମହିଳାଙ୍କୁ ଆଇନଗତ ସୁରକ୍ଷାରୁ ବଞ୍ଚିତ କରିବା ସମ୍ବିଧାନର ଧାରା ୧୪ (ସମାନତା ଅଧିକାର)ର ସିଧାସଳଖ ଉଲ୍ଲଂଘନ। ସମୟ ସହିତ ଆଇନର ପରିବର୍ତ୍ତନ ଜରୁରୀ ଏବଂ ଉଭୟ କ୍ଷେତ୍ରରେ ମହିଳାମାନେ ଭୋଗୁଥିବା ଶାରୀରିକ ଓ ମାନସିକ ଯନ୍ତ୍ରଣା ସମାନ ।
ଏହି ଆଇନର ଯେପରି ଦୁରୁପଯୋଗ ନହୁଏ, ସେଥିପାଇଁ କୋର୍ଟ କେତେକ କଡ଼ା ନିୟମ ଓ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଲାଗୁ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ସାଧାରଣ ଡେଟିଂ କିମ୍ବା ଅଳ୍ପ କିଛି ଦିନ ପାଇଁ ଏକାଠି ରହିଲେ ଏହି ନିୟମ ଲାଗୁ ହେବ ନାହିଁ। ସମ୍ପର୍କର ଗଭୀରତା ବିବାହ ସମତୁଲ୍ୟ ହୋଇଥିବା ନିହାତି ଆବଶ୍ୟକ। ଅଭିଯୋଗ ଆସିବା ମାତ୍ରେ ପୋଲିସ ସିଧାସଳଖ ଗିରଫ କରିପାରିବ ନାହିଁ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ କରିବା ବାଧ୍ୟତାମୂଳକ ୪୯୮(କ)ର ସମ୍ପ୍ରସାରଣ କେବଳ ନିର୍ଯାତନା ମାମଲା ପାଇଁ କରାଯାଇଛି। ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ବୈବାହିକ ଅଧିକାର ପାଇଁ ଏହା ଲାଗୁ ହେବ ନାହିଁ।
କର୍ଣ୍ଣାଟକ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଥିଲା। ଆବେଦନକାରୀ ଜଣେ ପୁରୁଷ ଥିଲେ ଏବଂ ତାଙ୍କ ଯୁକ୍ତି ଥିଲା ଯେ, ସେ ଅଭିଯୋଗକାରିଣୀ ମହିଳାଙ୍କୁ ଆଇନଗତ ଭାବେ ବିବାହ କରିନଥିବାରୁ ତାଙ୍କ ବିରୋଧରେ ୪୯୮(କ) ଧାରାରେ ମାମଲା ରୁଜୁ ହୋଇପାରିବ ନାହିଁ; ତେଣୁ ମାମଲାକୁ ଖାରଜ କରାଯାଉ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ଏବଂ ଲିଭ୍-ଇନ୍ ସମ୍ପର୍କରେ ଥିବା ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି।