ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଣିଷ ନୂଆ ନୂଆ ଉପଲବ୍ଧି ହାସଲ କରୁଥିବା ବେଳେ ମହାକାଶରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେବେ ମହାକାଶକୁ ଅଧିକରୁ ଅଧିକ ଉପଗ୍ରହ ଓ ରକେଟ୍ ପ୍ରେରଣ କରିବା ଫଳରେ ସେଠାରେ ‘ସ୍ପେସ୍ ଡେବ୍ରିସ୍’ ବା ମହାକାଶ ଆବର୍ଜନା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏବେ ପ୍ରତି ସପ୍ତାହରେ ପ୍ରାୟ ଏକ ମେଟ୍ରିକ୍ ଟନ୍ ଓଜନର ମହାକାଶ ଆବର୍ଜନା ପୃଥିବୀ ପୃଷ୍ଠକୁ ଖସୁଛି, ଯାହା ଭବିଷ୍ୟତ ପାଇଁ ଏକ ବଡ଼ ବିପଦର ସଙ୍କେତ ଦେଉଛି।
ପୃଥିବୀର କକ୍ଷପଥରେ ଘୂରି ବୁଲୁଥିବା ମଣିଷ ତିଆରି ଅଦରକାରୀ ବସ୍ତୁକୁ ‘ସ୍ପେସ୍ ଡେବ୍ରିସ୍’ କୁହାଯାଏ। ଅଚଳ ହୋଇଯାଇଥିବା ସାଟେଲାଇଟ୍, ରକେଟ୍ର ଅବଶିଷ୍ଟାଂଶ, ମିଶନ୍ ସମୟରେ ଖସିପଡ଼ିଥିବା ଯନ୍ତ୍ରପାତି, ଏପରିକି ରଙ୍ଗ ଓ ଇନ୍ଧନର କଣିକା ମଧ୍ୟ ଏହି ଆବର୍ଜନା ଶ୍ରେଣୀରେ ଯାଏ। ଯେହେତୁ ଏହି ବସ୍ତୁଗୁଡ଼ିକ ଘଣ୍ଟାପ୍ରତି ୨୫,୦୦୦ କିଲୋମିଟରରୁ ଅଧିକ ବେଗରେ ଘୂର୍ଣ୍ଣନ କରୁଛନ୍ତି, ଏହାର ଏକ ଛୋଟ ଖଣ୍ଡ ମଧ୍ୟ କୌଣସି ସକ୍ରିୟ ସାଟେଲାଇଟ୍ କିମ୍ବା ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନକୁ ଧକ୍କା ଦେଲେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ରହିଛି।
ମହାକାଶରେ ଆବର୍ଜନା ସୃଷ୍ଟି କରିବାରେ ରୁଷିଆ ସବୁଠାରୁ ଆଗରେ ରହିଛି। ଦଶନ୍ଧି ଦଶନ୍ଧି ଧରି ଅନେକ ମିଶନ୍ କରିବା ସହ ୨୦୨୧ ମସିହାରେ ରୁଷିଆ ନିଜର ଏକ ପୁରୁଣା ସାଟେଲାଇଟ୍କୁ କ୍ଷେପଣାସ୍ତ୍ର ମାଡ଼ କରି (ଆଣ୍ଟି-ସାଟେଲାଇଟ୍ ଟେଷ୍ଟ) ନଷ୍ଟ କରିଦେଇଥିଲା, ଯାହାଫଳରେ ହଜାର ହଜାର ଖଣ୍ଡ ଆବର୍ଜନା ମହାକାଶରେ ଖେଳେଇ ହୋଇଯାଇଥିଲା। ରୁଷିଆ ପଛକୁ ଆମେରିକା, ଚୀନ୍, ଫ୍ରାନ୍ସ ଏବଂ ଜାପାନ ଭଳି ଦେଶଗୁଡ଼ିକ ଏହି ତାଲିକାରେ ରହିଛନ୍ତି।
ପୋଲିସ୍ ସ୍ପେସ୍ ଏଜେନ୍ସିର ବରିଷ୍ଠ ଅଧିକାରୀ ମାରିୟସ୍ ସ୍ଲୋନିନାଙ୍କ ସୂଚନା ଅନୁଯାୟୀ, ଅଧିକାଂଶ ଛୋଟ ଆବର୍ଜନା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ଜଳିଯାଇ ନଷ୍ଟ ହୋଇଯାଏ। କିନ୍ତୁ ବଡ଼ ଖଣ୍ଡଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ନହୋଇ ପୃଥିବୀ ପୃଷ୍ଠରେ ପଡ଼ୁଛି। କେବଳ ଗୋଟିଏ ସପ୍ତାହରେ ପ୍ରାୟ ଏକ ଟନ୍ ଓଜନର ଆବର୍ଜନା ପୃଥିବୀକୁ ଖସୁଛି। ଆମେରିକାର ସ୍ପେସ୍ ଫୋର୍ସର ତଥ୍ୟ ଅନୁସାରେ, ଏକ ଦଶନ୍ଧି ପୂର୍ବେ ମାତ୍ର ୧୧୦ଟି ଏଭଳି ବସ୍ତୁ ବାୟୁମଣ୍ଡଳରେ ପ୍ରବେଶ କରୁଥିବା ବେଳେ ଗତବର୍ଷ ଏହା ୮୨୦କୁ ବୃଦ୍ଧି ପାଇଛି। ନିକଟ ଅତୀତରେ କେନିଆର ଏକ ଚାଷଜମିରେ, ପୋଲାଣ୍ଡ, କାନାଡ଼ା ଏବଂ ଫ୍ଲୋରିଡ଼ାର ବିଭିନ୍ନ ସ୍ଥାନରେ ଏହିଭଳି ରକେଟ୍ର ଭଗ୍ନାବଶେଷ ଖସିପଡ଼ିଥିବାର ନଜିର ରହିଛି।
ମହାକାଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏବେ ନାସା, ଇସ୍ରୋ ଏବଂ ଇସା ଭଳି ପ୍ରମୁଖ ସ୍ପେସ୍ ଏଜେନ୍ସିଗୁଡ଼ିକ ଟ୍ରାକିଂ ସିଷ୍ଟମ୍ ଉପରେ କାମ କରୁଛନ୍ତି। ଅଚଳ ହୋଇଯାଇଥିବା ସାଟେଲାଇଟ୍ଗୁଡ଼ିକୁ ଜାଣିଶୁଣି ପୃଥିବୀର ବାୟୁମଣ୍ଡଳକୁ ଆଣି ଜାଳିଦେବା ଅଥବା ସେଗୁଡ଼ିକୁ ମହାକାଶର ଏକ ସୁରକ୍ଷିତ ‘ଗ୍ରେଭୟାର୍ଡ ଅର୍ବିଟ୍’ (ମୃତ ଉପଗ୍ରହଙ୍କ ସ୍ଥାନ) କୁ ପଠାଇବା ପାଇଁ ‘ଡି-ଅର୍ବିଟିଂ’ ଜ୍ଞାନକୌଶଳର ବିକାଶ କରାଯାଉଛି।
ଏହି ବିପଦକୁ ଏବେଠାରୁ ନିୟନ୍ତ୍ରଣ ନକଲେ, ଆଗାମୀ ଦିନରେ ଏହା ପୃଥିବୀବାସୀଙ୍କ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।