Latest Odisha News

BREAKING NEWS

ପ୍ରୀତିଙ୍କ ସହ ଡେଟିଂ: ୧୬ ବର୍ଷ ପରେ ମୁହଁ ଖୋଲିଲେ ବ୍ରେଟ୍ ଲୀ

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ସ୍ପୀଡ୍ ଷ୍ଟାର୍ ବ୍ରେଟ୍ ଲୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଗୋଟିଏ ସମୟରେ ସେ ବଲିଉଡ୍‌ରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସେହି ସମୟରେ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଦୀର୍ଘ ୧୬-୧୭ ବର୍ଷ ପରେ ବ୍ରେଟ୍ ଲୀ ଏବେ ଏହି ଗୁଜବ ଉପରେ ମୁହଁ ଖୋଲିଛନ୍ତି । ପ୍ରୀତିଙ୍କ ସହ ତାଙ୍କର କେବେବି କୌଣସି ରୋମାଣ୍ଟିକ୍ ସମ୍ପର୍କ ନଥିଲା ଏବଂ ସେମାନେ କେବଳ ଭଲ ବନ୍ଧୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।  ବ୍ରେଟ୍ ଲୀ କହିଛନ୍ତି ଯେ, କୌଣସି ବଲିଉଡ୍ ଅଭିନେତ୍ରୀଙ୍କୁ ଡେଟ୍ ନକରିବା ହିଁ ସବୁଠାରୁ ବଡ଼ ସତ । ସେ କହିଛନ୍ତି, ପ୍ରୀତି ଏବଂ ମୋ ମଧ୍ୟରେ କେବଳ ଏକ ନିବିଡ଼ ବନ୍ଧୁତା ଥିଲା ଏବଂ ଆଜି ବି ଆମେ ଭଲ ବନ୍ଧୁ ।

ସେହି ସମୟରେ ପ୍ରୀତି ପଞ୍ଜାବ କିଙ୍ଗସ୍ ଦଳର ସହ-ମାଲିକାଣୀ ଥିଲେ । ଗୁଜବ ସମ୍ପର୍କରେ ସେ କହିଛନ୍ତି ଯେ ଏସବୁ ଖବର ତାଙ୍କୁ କେବେ ବି ବିଚଳିତ କରିନଥିଲା, କାରଣ ସେ ସତ୍ୟ ଜାଣିଥିଲେ । ୨୦୦୮ ରୁ ୨୦୧୧ ମଧ୍ୟରେ ପ୍ରୀତି ଏବଂ ବ୍ରେଟ୍ ଲୀଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଶୀର୍ଷରେ ଥିଲା। ସେହି ସମୟରେ ବ୍ରେଟ୍ ଲୀ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗସ୍ ଦଳର ପକ୍ଷରୁ ଖେଳୁଥିଲେ । ମୁମ୍ବାଇର ଏକ ରେଷ୍ଟୋରାଣ୍ଟରେ ଦୁହିଁଙ୍କୁ ଏକାଠି ଦେଖିବା ପରେ ଏହି ଆଲୋଚନା ଆହୁରି ଜୋର ଧରିଥିଲା । ତେବେ ୨୦୧୦ରେ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆ ମାଧ୍ୟମରେ ଏହି ଖବରକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ ।

ବ୍ରେଟ୍ ଲୀ ୨୦୦୬ରେ ଏଲିଜାବେଥ୍ କେମ୍ପଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୯ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୨୦୧୪ରେ ସେ ଲାନା ଏଣ୍ଡରସନ୍‌ଙ୍କୁ ବିବାହ କରିଥିଲେ । ପ୍ରୀତି ୨୦୧୬ରେ ଲସ୍ ଆଞ୍ଜେଲସ୍‌ରେ ଜୀନ୍ ଗୁଡ୍‌ଇନଫ୍‌ଙ୍କୁ ବିବାହ କରିଥିଲେ । ୨୦୨୧ରେ ସରୋଗେସୀ ମାଧ୍ୟମରେ ଉଭୟ ଯାଆଁଳା ସନ୍ତାନର ପିତାମାତା ହୋଇଥିଲେ । ୱର୍କଫ୍ରଣ୍ଟ: ପ୍ରୀତି ଜିଣ୍ଟା ଖୁବ୍‌ଶୀଘ୍ର ଫିଲ୍ମ ବଣ୍ଟୱାରା ୧୯୪୭ରେ ନଜର ଆସିବେ, ଯାହା ଆସନ୍ତା ଅଗଷ୍ଟ ୧୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

Leave A Reply

Your email address will not be published.