ନୂଆଦିଲ୍ଲୀ: ମୁନିରଙ୍କ ଚାଲରେ ଚାପରେ ଶାହବାଜ ସରକାର?
ପାକିସ୍ତାନରେ ପୁଣି ସରକାର ବଦଳିବାର ସଙ୍କେତ!
ପାକିସ୍ତାନ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ!
ପାକିସ୍ତାନରେ ପୁଣି ଥରେ କ୍ଷମତା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ସାମ୍ପ୍ରତିକ ବୟାନ ପରେ ଦେଶର ରାଜନୈତିକ ପରିସ୍ଥିତି ଉତ୍ତପ୍ତ ହୋଇଉଠିଛି। ନକଭି ଦେଶ ଇତିହାସର “ସବୁଠାରୁ ବଡ଼ ଦୁର୍ନୀତି”ର ପର୍ଦ୍ଦାଫାଶ କରିବାକୁ ଦାବି କରି କହିଛନ୍ତି ଯେ, ଏଥିରେ ଅନେକ ବିଚାରପତି ଓ ରାଜନେତା ସମ୍ପୃକ୍ତ ଅଛନ୍ତି। ଯଦିଓ ସେ କାହାର ନାମ ନେଇନାହାନ୍ତି, ତଥାପି ଏହା ପାକିସ୍ତାନରେ ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ବୋଲି ଚର୍ଚ୍ଚା ହେଉଛି।
ନକଭିଙ୍କ ବୟାନ ପରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗର କାର୍ଯ୍ୟଦକ୍ଷତାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଫେବୃଆରୀରୁ ଏପର୍ଯ୍ୟନ୍ତର ସମସ୍ତ ସଫଳତାର ଦସ୍ତାବିଜ ସହ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ମନ୍ତ୍ରଣାଳୟଗୁଡ଼ିକୁ କୁହାଯାଇଛି।
ଏପଟେ ରାଜନୈତିକ ବିଶ୍ଳେଷକଙ୍କ ମତରେ, ପରଦା ପଛରେ ସେନା ପ୍ରମୁଖ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପ୍ରଭାବ ଲଗାତାର ବଢ଼ୁଛି। ମୁନିରଙ୍କ ଘନିଷ୍ଠ ସହଯୋଗୀ ବୋଲି ପରିଚିତ ମୋହସିନ ନକଭିଙ୍କ ବୟାନ ଶାହବାଜ ସରକାର ବିରୋଧରେ ଏକ ବଡ଼ ରାଜନୈତିକ ଚାଲର ଅଂଶ ହୋଇପାରେ ବୋଲି ଆଲୋଚନା ହେଉଛି। ସୁରକ୍ଷା ଦୃଷ୍ଟିରୁ ଇସଲାମାବାଦରେ କଡ଼ା ବନ୍ଦୋବସ୍ତ କରାଯାଇଥିବା ସହ ସହରର ବିଭିନ୍ନ ସ୍ଥାନରେ କଣ୍ଟେନର ମଧ୍ୟ ରଖାଯାଇଛି।
ରିପୋର୍ଟ ଅନୁସାରେ, ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ମୋହସିନ ନକଭି ଦୀର୍ଘଦିନ ଧରି ପ୍ରଧାନମନ୍ତ୍ରୀ ହେବାର ଆଶା ରଖିଛନ୍ତି। ଅସୀମ ମୁନିରଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ସେ ଦେଶରେ ସେନାର ପ୍ରଭାବ ବଢ଼ାଇବାର ମୁଖ୍ୟ ଚେହେରା ବୋଲି କୁହାଯାଉଛି। ନୂଆ ପ୍ରଶାସନିକ ଏକକ କିମ୍ବା ପ୍ରଦେଶ ଗଠନ ପ୍ରସ୍ତାବକୁ ମଧ୍ୟ ସେ ସମର୍ଥନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହା ପୂର୍ବତନ ସେନା ଶାସକ ପରଭେଜ ମୁଶରଫଙ୍କ ଭଳି ସେନା ପ୍ରମୁଖ ଓ ରାଷ୍ଟ୍ରପତି ଉଭୟ ପଦରେ ପ୍ରଭାବ ବଢ଼ାଇବାର ଏକ ରଣନୀତି ହୋଇପାରେ।
ଅନ୍ୟପଟେ, ଶାହବାଜ ସରକାରଙ୍କ ରାଜନୈତିକ ପରାମର୍ଶଦାତା ରାନା ସନାଉଲ୍ଲା ନକଭିଙ୍କ ବୟାନକୁ “ଅଯୁକ୍ତିକ” ବୋଲି କହିଛନ୍ତି। ସେହିପରି ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ ନକଭିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଯଦି ଦେଶର ଗୃହମନ୍ତ୍ରୀ ନିଜେ ସରକାରୀ ବ୍ୟବସ୍ଥାକୁ ବିଫଳ ବୋଲି କହୁଛନ୍ତି, ତେବେ ସରକାରଙ୍କ କ୍ଷମତାରେ ରହିବାର ନୈତିକ ଅଧିକାର ନାହିଁ। ଯାହା ଏବେ ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।
ତେବେ ପାକିସ୍ତାନର ଇତିହାସ ଦେଖିଲେ, ୧୯୪୭ରେ ସ୍ୱାଧୀନତା ପାଇବା ପରେ ଦେଶ ବାରମ୍ବାର ସେନା ଶାସନର ସମ୍ମୁଖୀନ ହୋଇଛି। ୧୯୫୮ରେ ଜେନେରାଲ ଆୟୁବ ଖାନ, ୧୯୭୭ରେ ଜିଆ-ଉଲ-ହକ ଏବଂ ୧୯୯୯ରେ ପରଭେଜ ମୁଶରଫ କ୍ଷମତା ପରିବର୍ତ୍ତନ କରି ଗାଦି ଦଖଲ କରିଥିଲେ। ଏହା ବ୍ୟତୀତ ୧୯୫୧, ୧୯୭୩, ୧୯୮୦, ୧୯୮୪ ଓ ୧୯୯୫ରେ ମଧ୍ୟ କ୍ଷମତା ପରିବର୍ତ୍ତନର ଅନେକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିଲା, ଯାହାକୁ ସେନା ଓ ଗୁଇନ୍ଦା ସଂସ୍ଥା ବିଫଳ କରିଥିଲେ। ଏପରି ସ୍ଥିତିରେ ଏବେର ରାଜନୈତିକ ଘଟଣାକ୍ରମ ପାକିସ୍ତାନରେ ପୁଣି ଥରେ କ୍ଷମତା ପରିବର୍ତ୍ତନର ଆଶଙ୍କାକୁ ନେଇ ଚର୍ଚ୍ଚାକୁ ଜୋରଦାର କରିଛି।