ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍ ଇଣ୍ଡିଆ। କେବଳ କୋଇଲା କ୍ଷେତ୍ରରେ ସୀମିତ ଥିବା କୋଲ୍ ଇଣ୍ଡିଆ ଏହାର ବିବିଧକରଣ ନୀତି ଅନୁସାରେ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। ପ୍ରଥମ ଥର ପାଇଁ କମ୍ପାନୀ କୋଇଲା ଖଣି ବାହାରେ ଅନ୍ୟ ଖଣି ପରିଚାଳନା କରିବାକୁ ଯାଉଛି। ଷ୍ଟକ୍ ବଜାରକୁ କମ୍ପାନୀ ଦେଇଥିବା ସୂଚନା ଅନୁସାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା ଗଦାଧରପୁର ଲୁହାପଥର ଖଣିକୁ ଏହା ନିଲାମରେ ହାସଲ କରିଛି। ପ୍ରତିଯୋଗିତାପୂର୍ଣ୍ଣ ନିଲାମରେ ଏହି ଖଣି ପାଇଁ କୋଲ୍ ଇଣ୍ଡିଆକୁ ଓଡ଼ିଶା ସରକାର ପସନ୍ଦର ବିଡର୍ ଭାବେ ଚୟନ କରିଛନ୍ତି।
ଗଦାଧରପୁର ଖଣି ପାଇଁ କୋଲ୍ ଇଣ୍ଡିଆ ୧୧୪.୦୫ ପ୍ରତିଶତ ପ୍ରିମିୟମ୍ ସହ ବିଡ୍ ଦାଖଲ କରିଥିଲା। ଏହି ଖଣିରୁ ପଠାଯିବାକୁ ଥିବା ଖଣିଜ ଉପରେ ଏହି ହାରରେ କମ୍ପାନି ସରକାରଙ୍କୁ ରାଜସ୍ବ ପ୍ରଦାନ କରିବ। ଖଣିରେ ୨୮୮ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି। ବର୍ତ୍ତମାନ ତାହା ଜି୩ ଅନୁସନ୍ଧାନ ପର୍ଯ୍ୟାୟରେ ରହିଛି। ତେଣୁ ସେଥିରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବା ପୂର୍ବରୁ ତାହାକୁ ଆହୁରି ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି।
କୋଲ୍ ଇଣ୍ଡିଆ ଆଶା ରଖିଛି ଯେ ପସନ୍ଦର ବିଡର୍କୁ ସଫଳ ବିଡର୍ ମାନ୍ୟତା ପାଇବାକୁ ଏକ ବର୍ଷ ସମୟ ଲାଗିଯିବ। ଖଣି ଲିଜ୍ ଡିଡ୍ କାର୍ଯ୍ୟକାରୀ କରିବା ପାଇଁ ତିନି ବର୍ଷ ସମୟ ଲାଗିବ। ତେବେ ସେଥିପାଇଁ ଅନ୍ୟାନ୍ୟ ସମସ୍ତ ଔପଚାରିକତା ପୂରଣ କରିବାକୁ ପଡ଼ିବ। କୋଲ ଇଣ୍ଡିଆର ସବୁଠୁ ଲାଭଜନକ ସହାୟକ କମ୍ପାନି ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଓଡ଼ିଶାରେ କୋଇଲା ଉତ୍ପାଦନ କରୁଛି। ତାଳଚେର-ଅନୁଗୋଳ ଓ ଝାରସୁଗୁଡ଼ାର ଇବ୍ ଉପତ୍ୟାକାରେ କମ୍ପାନୀର କୋଇଲା ଖଣି ରହିଛି। ଆଗାମୀ ଦିନରେ କୋଲ୍ ଇଣ୍ଡିଆ ଏହାର କାରବାରରେ ବିବିଧତା ଆଣିବା ପାଇଁ ଅନ୍ୟ ଖଣିଜ ପଦାର୍ଥ କ୍ଷେତ୍ରରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି।
