ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଉଦବେଗଜନକ ହେବାରେ ଲାଗିଛି । ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା କାରଣରୁ ଜିଲ୍ଲାର ପ୍ରମୁଖ ନଦୀ ଜଳକାର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି । ବସ୍ତା ବ୍ଲକ ମଥାନୀ ନିକଟରେ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ପ୍ରବାହିତ ହେଉଥିବାରୁ ସ୍ଥାନୀୟ ତଳିଆ ଅଞ୍ଚଳରେ ଏବେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡ଼ା ଏବଂ ରାସଗୋବିନ୍ଦପୁର ଆଦି ଉପରମୁଣ୍ଡ ଅଞ୍ଚଳରେ ଗତ କିଛି ଦିନ ହେବ ବ୍ୟାପକ ବର୍ଷା ଜାରି ରହିଛି । ଫଳରେ ଜଳକା ନଦୀରେ ବନ୍ୟା ଜଳର ପ୍ରବାହ ତୀବ୍ର ହୋଇଯାଇଛି । ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ବିପଦ ସ୍ତର ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଗାଁଗୁଡ଼ିକରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ଆହୁରି ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାରୁ ସ୍ଥିତି ଅଧିକ ସଙ୍ଗିନ ହେବାର ଆଶଙ୍କା ରହିଛି ।
ଯଦି ନଦୀର ଜଳସ୍ତର ଆହୁରି ବଢ଼େ କିମ୍ବା ବନ୍ଧରେ କୌଣସି ଘାଇ ସୃଷ୍ଟି ହୁଏ, ତେବେ ବସ୍ତା ବ୍ଲକର ମଥାନୀ, ବାହାର୍ଦ୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡ଼ିଆ ଓ ଦରିଆ ଭଳି ପ୍ରାୟ ସାତୋଟି ପଞ୍ଚାୟତ ସମେତ ସଦର ବ୍ଲକର କିଛି ପଞ୍ଚାୟତ ସିଧାସଳଖ ଜଳମଗ୍ନ ହେବ। ପୂର୍ବ ବର୍ଷମାନଙ୍କରେ ମଧ୍ୟ ବନ୍ୟା ଯୋଗୁଁ ଏହି ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହେବା ସହ ଲୋକଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିଲା। ବନ୍ୟା ପାଣି ପଶିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବାର ଭୟ ମଧ୍ୟ ସୃଷ୍ଟି ହୋଇଛି ।
ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକରେ ବାଲିବସ୍ତା ପକାଯାଇ ମରାମତି କାମକୁ ତ୍ୱରାନ୍ୱିତ କରାଯାଉଛି । ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ରାଜସ୍ୱ ବିଭାଗର ଅଧିକାରୀମାନେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
