Latest Odisha News

BREAKING NEWS

Pakistan’s Conspiracy: ସୀମାରେ ପାକିସ୍ତାନର ଆଉ ଏକ ଚାଲ୍ ବିଫଳ, ଡ୍ରୋନ୍ ସହ ଚୀନ୍ ନିର୍ମିତ ପିସ୍ତଲ, ୨ ମ୍ୟାଗାଜିନ୍ ଓ ୪ ଗୁଳି ଜବତ

ଫାଜିଲ୍କା: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ପୁଣି ଥରେ ଡ୍ରୋନ୍ ମାଧ୍ୟମରେ ଭାରତକୁ ଅସ୍ତ୍ର ପଠାଇବାକୁ ହୋଇଥିବା ଉଦ୍ୟମ ସାମ୍ନାକୁ ଆସିଛି। ପଞ୍ଜାବର ଫାଜିଲ୍କା ଜିଲ୍ଲାର ଟାହଲିୱାଲା ଗାଁ ନିକଟରୁ ଏକ ଡ୍ରୋନ୍ ଠାବ ହୋଇଛି। ଏହି ଡ୍ରୋନ୍ ପାକିସ୍ତାନ ପଟୁ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ବେଳେ ଏହା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଥିଲା। ଡ୍ରୋନ୍‌ଟି ଏକ ଧାନ କ୍ଷେତରେ ପଡ଼ିଥିବା ଅବସ୍ଥାରେ ମିଳିଛି।

ସୂଚନା ଅନୁସାରେ, ଫାଜିଲ୍କା ଅଞ୍ଚଳରେ ଏକ ଡ୍ରୋନ୍ ପ୍ରବେଶ କରିଥିବା ନେଇ BSFକୁ ଖବର ମିଳିଥିଲା। ଏନେଇ ସ୍ଥାନୀୟ ପୋଲିସକୁ ମଧ୍ୟ ଜଣାଯାଇଥିଲା। ପରେ ଘୁବାୟା ପୁଲିସ ଚୌକିର ଇନ୍‌ଚାର୍ଜ ଅଭିଷେକ ଶର୍ମା ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଓ BSF ଟିମ୍ ଅଞ୍ଚଳକୁ ସିଲ୍ କରି ଦୀର୍ଘ ସମୟ ଧରି ଝାନଭିନ୍ ଅଭିଯାନ ଚଳାଇଥିଲେ। ଏହି ସମୟରେ ଏକ ଧାନ କ୍ଷେତରୁ ଡ୍ରୋନ୍‌ଟି ମିଳିଥିଲା। ଡ୍ରୋନ୍ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଥିବା ଜଣାପଡ଼ିଥିଲା। ଝାନଭିନ୍ ସମୟରେ ଡ୍ରୋନ୍ ସହ ଏକ ଚୀନ୍ ନିର୍ମିତ ପିସ୍ତଲ, ୨ଟି ମ୍ୟାଗାଜିନ୍ ଏବଂ ୪ଟି ଜୀବନ୍ତ କାର୍ଟୁଜ ଜବତ କରାଯାଇଛି। ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଏହି ଡ୍ରୋନ୍ ଅନ୍ତର୍ଜାତୀୟ ସୀମାରେ ଥିବା ତାରବାଡ଼ ପାର୍ କରି ଭାରତୀୟ ଅଞ୍ଚଳର ପ୍ରାୟ ୧ କିଲୋମିଟର ଭିତରକୁ ପ୍ରବେଶ କରିଥିଲା। ଜବତ ଅସ୍ତ୍ର ଓ ଡ୍ରୋନ୍‌କୁ ପୋଲିସ ନିଜ ହେପାଜତକୁ ନେଇଛି। ଏହି ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। କାହା ପାଇଁ ଏହି ସବୁ ଅସ୍ତ୍ର ଆସିଥିଲା? ଡ୍ରୋନ୍ ମାଧ୍ୟମରେ ପଠାଯାଇଥିବା ଏହି ଅସ୍ତ୍ର କାହା ପାଖରେ ପହଞ୍ଚିବାର ଥିଲା? ଏବଂ ଏହା ପଛରେ କେଉଁ ନେଟୱର୍କ ସକ୍ରିୟ ରହିଛି, ସେନେଇ ତଦନ୍ତ ଚାଲିଛି।

ସୀମା ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ପଠାଇବା ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଲଗାତାର ଚ୍ୟାଲେଞ୍ଜ ହୋଇଛି। ଏଭଳି ଘଟଣାକୁ ରୋକିବା ପାଇଁ ସୀମା ଅଞ୍ଚଳରେ ଡ୍ରୋନ୍ ଗତିବିଧି ଉପରେ ନଜର ରଖାଯିବା ସହ ସର୍ଚ୍ଚ ଅପରେସନ୍ ମଧ୍ୟ ଜୋରଦାର କରାଯାଇଛି। ଏହି ଘଟଣାର କିଛି ଦିନ ପୂର୍ବରୁ ପଞ୍ଜାବ ପୋଲିସ ମଧ୍ୟ ISI ସମର୍ଥିତ ଦୁଇଟି ସୀମାପାର ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ କରିଥିଲା। ଏହି ମାମଲାରେ ମୋଟ ୯ ଜଣଙ୍କୁ ହେପାଜତକୁ ନିଆଯାଇଥିଲା, ଯାହାଙ୍କ ମଧ୍ୟରେ ୪ ଜଣ ନାବାଳକ ଥିଲେ । ପୋଲିସ ସେମାନଙ୍କ ନିକଟରୁ ୩ଟି ବେଆଇନ ପିସ୍ତଲ, ୯ଟି ଜୀବନ୍ତ ଗୁଳି, ୪ଟି ପେଟ୍ରୋଲ ବମ୍ ଏବଂ ଏକ ଚୋରି ହୋଇଥିବା ମୋଟରସାଇକେଲ୍ ଜବତ କରିଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ କଥିତ ଭାବେ ISI ହ୍ୟାଣ୍ଡଲର୍‌ଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରିବା ଏବଂ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକ ଉପରେ ନଜର ରଖିବାକୁ ଉଦ୍ୟମ କରୁଥିଲେ।

ଫାଜିଲ୍କାର ଏହି ନୂଆ ଘଟଣା ପରେ ସୀମା ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ର ଚାଲାଣକୁ ରୋକିବା ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକର ସତର୍କତା ଆହୁରି ବଢ଼ିଛି।

Leave A Reply

Your email address will not be published.