ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଏହି ମ୍ୟାଚ୍ର କୌଣସି ଫଳାଫଳ ନ ବାହାରିବାରୁ ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ ୨-୨ ବରାବର ହୋଇ ଶେଷ ହୋଇଛି ଏବଂ ଟ୍ରଫିକୁ ଉଭୟ ଦଳ ମଧ୍ୟରେ ଭାଗ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସନ୍ଧ୍ୟା ୬:୩୦ରେ ହେବାକୁ ଥିବା ଟସ୍ ରାତି ୯:୦୦ରେ ଅନୁଷ୍ଠିତ ହୋଇଥିଲା । ଅମ୍ପାୟାରମାନେ ମ୍ୟାଚ୍କୁ ୯-୯ ଓଭର ବିଶିଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ଭାରତ ୭.୪ ଓଭରରେ ୫ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା । ନମନ ଧୀର ମାତ୍ର ୬ଟି ବଲ୍ରୁ ୨୪ ରନ୍ର ଆକ୍ରାମକ ନାବାଦ ପାରି ଖେଳିଥିଲେ । ଭାରତୀୟ ପାରି ଶେଷ ହେବାକୁ ଥିବା ବେଳେ ପୁଣି ଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଅପେକ୍ଷା କରିବା ପରେ ରାତି ୧୦:୨୧ରେ ମ୍ୟାଚ୍କୁ ଅଫିସିଆଲି ବାତିଲ ଘୋଷଣା କରାଯାଇଥିଲା । ଏହି ମ୍ୟାଚ୍ ବାତିଲ ହେବା ଫଳରେ ଭାରତୀୟ ଦଳ ୪ ବର୍ଷ ପରେ ନିଜ ଘରୋଇ ମାଟିରେ ଟି-୨୦ ସିରିଜ୍ ଜିତିବାରୁ ବଞ୍ଚିତ ହୋଇଛି । ଏହା ପୂର୍ବରୁ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ମଧ୍ୟ ୨-୨ ରେ ଡ୍ର’ ରହିଥିଲା ।

