ଭଦ୍ରକ: ସମ୍ପତ୍ତି ଲୋଭ ମଣିଷକୁ ଏତେ ସ୍ୱାର୍ଥପର କରିପାରେ, ତାହାର ଏକ ଚାଞ୍ଚଲ୍ୟକର ତଥା ସାଂଘାତିକ ଉଦାହରଣ ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି। ଜଣେ ୭୦ ବର୍ଷୀୟା ଜୀବିତ ମା’କୁ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରି ତାଙ୍କର ଦୁଇ ପୁଅ ଘର ଓ ଜମି ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି। ଏହି ଠକେଇ ଘଟଣାରେ ପୋଲିସ ଜଣେ ପୁଅକୁ ଗିରଫ କରିଛି ।
ଘଟଣାଟି ଧାମନଗର ଥାନା ଅନ୍ତର୍ଗତ ଜୟନଗର ମୌଜାର ହବିବନଗର ଅଞ୍ଚଳରେ ଘଟିଛି। ପୀଡ଼ିତା ତଥା ଅଭିଯୋଗକାରିଣୀ ଆୟେଶା ବିବିଙ୍କ କହିବା ଅନୁଯାୟୀ, ୨୦୨୩ ମସିହାରେ ସେ ଏକ ତୀର୍ଥଯାତ୍ରାରେ ଯାଇଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ପୁଅ ଏକ ଜାଲ୍ ସତ୍ୟପାଠ ପ୍ରସ୍ତୁତ କରିଥିଲେ । ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ, ସେମାନଙ୍କ ମା’ଙ୍କର ୪୦ ବର୍ଷ ପୂର୍ବରୁ ମୃତ୍ୟୁ ଘଟିସାରିଛି ଏବଂ ତାଙ୍କର କୌଣସି ଝିଅ ନାହାନ୍ତି । ମାତ୍ର ବାସ୍ତବରେ ଆୟେଶାଙ୍କର ୬ ଜଣ ଝିଅ ଅଛନ୍ତି।
ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି ଯେ, ଏହି ଜାଲ୍ ସତ୍ୟପାଠ ଆଧାରରେ ଧାମନଗରର ତତ୍କାଳୀନ ଆରଆଇ ବିନା କୌଣସି କ୍ଷେତ୍ରସ୍ତରୀୟ ତଦନ୍ତରେ ତାଙ୍କୁ ମୃତ ବୋଲି ଦର୍ଶାଇ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହା ଫଳରେ ଜମି ରେକର୍ଡରୁ ଆୟେଶାଙ୍କ ନାମ କାଟି ଦିଆଯାଇ ତାଙ୍କର ସମସ୍ତ ସମ୍ପତ୍ତି ଓ ବାସଗୃହକୁ ଦୁଇ ପୁଅ ଏବଂ ବୋହୂମାନଙ୍କ ନାମରେ ମ୍ୟୁଟେସନ କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରରେ ତାଙ୍କ ସ୍ୱାମୀଙ୍କର ମଧ୍ୟ ହାତ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।
ଏହି ଠକେଇ ସମ୍ପର୍କରେ ଜାଣିବା ପରେ ଆୟେଶା ଗତ ଜୁଲାଇ ୧୦ ତାରିଖରେ ଧାମନଗର ଥାନାରେ ସ୍ୱାମୀ, ଦୁଇ ପୁଅ, ବୋହୂ ଏବଂ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ ୧୮ ଦିନ ବିତିଯିବା ପରେ ବି ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ନିଜକୁ ଜୀବିତ ପ୍ରମାଣିତ କରିବା ଓ ନ୍ୟାୟ ଦାବିରେ ଶେଷରେ ସେ ଭଦ୍ରକ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ।
ଭଦ୍ରକ ଏସପି ମନୋଜ କୁମାର ରାଉତ ଘଟଣାର ଗୁରୁତ୍ୱ ବୁଝି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧାମନଗର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଲିଖିତ ଭାବେ ଅବଗତ କରାଯାଇଛି।
ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରାଙ୍କ ସୂଚନା ମୁତାବକ, ଜୁଲାଇ ୨୭ ତାରିଖରେ ଧାମନଗର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଜମି ମ୍ୟୁଟେସନ ପାଇଁ ବ୍ୟବହୃତ କାଗଜପତ୍ରରେ ବୃଦ୍ଧାଙ୍କୁ ମୃତ ଦର୍ଶାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ପୋଲିସ ଆୟେଶାଙ୍କ ବଡ଼ ପୁଅ ଏସକେ ତୌଫିକ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଫେରାର୍ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।
