Latest Odisha News

BREAKING NEWS

୧୪ ଅଗଷ୍ଟରୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ବେଶ ଦର୍ଶନ କାର୍ଯ୍ୟକ୍ରମ ;ଦୃଷ୍ଟିବାଧିତ ପିଲାଙ୍କ ଭଜନ ସମାରୋହ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି, ଆଧ୍ୟାତ୍ମିକତା ଓ ଓଡ଼ିଆ ଧାର୍ମିକ-ସାଂସ୍କୃତିକ ପରମ୍ପରାକୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଅଧିକ ପ୍ରସାର କରିବା ଉଦ୍ଦେଶ୍ୟରେ ଏକ ବିଶେଷ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ ଓ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମହାଦେବଙ୍କ ଭଜନ ମଣ୍ଡପରେ ୧୪ ଅଗଷ୍ଟ ଶୁକ୍ରବାରଠାରୁ ୨୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟା ଠାରୁ ରାତି ୧୦ଟା ଯାଏଁ ଚାଲିବ ।

କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ବିଭିନ୍ନ ବେଶର ଦର୍ଶନ, ଯାହା ଭକ୍ତମାନଙ୍କ ମନରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାକୁ ଅଧିକ ଦୃଢ଼ କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

ଏହି ପବିତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ବସବାସ କରୁଥିବା ଆଧ୍ୟାତ୍ମିକ ରୁଚିସମ୍ପନ୍ନ ଭକ୍ତ, ଶ୍ରଦ୍ଧାଳୁ, ସାଧାରଣ ନାଗରିକ ଓ ଶ୍ରୀଜଗନ୍ନାଥପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେଇ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଓ ଭଜନ-କୀର୍ତ୍ତନର ଆଧ୍ୟାତ୍ମିକ ଆନନ୍ଦ ଲାଭ କରିବାକୁ ଓଡ଼ିଶା ସର୍ଭିସ୍ ସେଣ୍ଟର ଫର୍ ଦିବ୍ୟାଙ୍ଗ ପିପୁଲ୍‌ର ସଭାପତି ଭବାନୀ ଶଙ୍କର ପାଢ଼ୀ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଅଧ୍ୟକ୍ଷ ଡଃ ନାରାୟଣ ମହାପାତ୍ର, ବିଶ୍ୱ ହିନ୍ଦୁ ପରିଷଦ, ଭୁବନେଶ୍ୱର ଜିଲ୍ଲାର ସଭାପତି ପ୍ରଦୀପ ଚନ୍ଦ୍ର ମହାନ୍ତି ଏବଂ ବରିଷ୍ଠ ହିନ୍ଦୁ ସଙ୍ଗଠକ ଶ୍ରୀ ଟାଇଫୁନ୍ ଦାସ ପ୍ରମୁଖ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ବକ୍ତାମାନେ କହିଥିଲେ ଯେ, ଶ୍ରୀଜଗନ୍ନାଥ କେବଳ ଓଡ଼ିଆ ଜାତିର ଆରାଧ୍ୟ ନୁହଁନ୍ତି, ସେ ସମଗ୍ର ମାନବ ସମାଜର ମହାପ୍ରଭୁ। ତାଙ୍କ ଭକ୍ତି, ସଂସ୍କୃତି ଓ ମାନବିକତାର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ।

ତେଣୁ ଭୁବନେଶ୍ୱର ମହାନଗର ଅଞ୍ଚଳର ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ, ଆଧ୍ୟାତ୍ମିକ ଅନୁରାଗୀ, ଭକ୍ତ ଓ ସାଧାରଣ ନାଗରିକଙ୍କୁ ପରିବାର ସହିତ ଏହି ପବିତ୍ର ଆୟୋଜନରେ ସାମିଲ ହୋଇ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଓ ଭଜନ ସମାରୋହର ଲାଭ ନେବାକୁ ଆୟୋଜକମାନଙ୍କ ପକ୍ଷରୁ ଵିଶେଷ ଅନୁରୋଧ କରାଯାଇଛି।

Leave A Reply

Your email address will not be published.