Latest Odisha News

BREAKING NEWS

Netaji’s ashes: ୮୧ ବର୍ଷ ପରେ ଜାପାନରୁ ଭାରତ ଆସିବ ନେତାଜୀଙ୍କ ଅସ୍ଥି? ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଶେଷ ଭାରତ ଫେରାଇ ଆଣିବା ଦାବି ପୁଣିଥରେ ଜୋର ଧରିଛି। ଏହି ଦାବି ନେଇ ନେତାଜୀଙ୍କ ଝିଅ ଅନିତା ବୋଷ ଫାଫ୍‌ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟୋକିଓର ରେଙ୍କୋଜି ମନ୍ଦିରରେ ସଂରକ୍ଷିତ ଥିବା ନେତାଜୀଙ୍କ କଥିତ ଅସ୍ଥିକୁ ଭାରତ ଫେରାଇ ଆଣି ତାଙ୍କୁ ନିଜ ମାଟିରେ ଶେଷ ସମ୍ମାନ ଦେବାକୁ ସେ ଆବେଦନ କରିଛନ୍ତି। ତେବେ ନେତାଜୀଙ୍କ କଥିତ ଅସ୍ଥି ପ୍ରାୟ ୮୧ ବର୍ଷ ପରେ ଭାରତ ଫେରିବା ଦାବି ଉଠିଛି।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାର, ବିଦେଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି। ବରିଷ୍ଠ ଆଇନଜୀବୀ ଏଏମ୍ ସିଂଘଭି କହିଥିଲେ ଯେ ନେତାଜୀଙ୍କ ଝିଅ ନିଜେ ଏହି ମାମଲା ନେଇ କୋର୍ଟକୁ ଆସିଛନ୍ତି। ଏହାପରେ ପ୍ରଥମେ କେନ୍ଦ୍ରର ଜବାବ ଆସିବା ଆବଶ୍ୟକ ବୋଲି ଜଷ୍ଟିସ ଜୟମାଲ୍ୟ ବାଗଚୀ କହିଥିଲେ। ଏହା ପୂର୍ବରୁ ମାର୍ଚ୍ଚ ୨୦୨୬ରେ ନେତାଜୀଙ୍କ ପରିବାରର ଆଶିଷ ରେଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ PIL ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଥିଲେ। କୋର୍ଟ କହିଥିଲେ, ନେତାଜୀଙ୍କ ଆଇନଗତ ଉତ୍ତରାଧିକାରୀ ଅନିତା ବୋଷ ଫାଫ୍‌ ନିଜେ ଆବେଦନ କରିବା ଉଚିତ। ଏବେ ସେ ନିଜେ ଆବେଦନ କରିଥିବାରୁ ମାମଲାଟି ପୁଣି ଚର୍ଚ୍ଚାକୁ ଆସିଛି।

ଅନିତାଙ୍କ ଦାବି ହେଉଛି, ତାଙ୍କ ପିତାଙ୍କୁ ଭାରତୀୟ ମାଟିରେ ଶେଷ ସମ୍ମାନ ମିଳିବା ଉଚିତ। ସେ ବର୍ଷ ବର୍ଷ ଧରି ନେତାଜୀଙ୍କ ଅବଶେଷ ଭାରତ ଫେରାଇ ଆଣିବା ପାଇଁ ଦାବି କରିଆସୁଛନ୍ତି। ଗତବର୍ଷ ନେତାଜୀଙ୍କ ପରିବାରର ଚନ୍ଦ୍ର କୁମାର ବୋଷ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ଅବଶେଷ ଭାରତ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ।

ନେତାଜୀଙ୍କ ମୃତ୍ୟୁକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ରହିଛି। ପ୍ରଚଳିତ ମତ ଅନୁସାରେ, ୧୮ ଅଗଷ୍ଟ ୧୯୪୫ରେ ବର୍ତ୍ତମାନର ତାଇୱାନ ଅଞ୍ଚଳରେ ଜାପାନୀ ସେନାର ଏକ ବିମାନ ଦୁର୍ଘଟଣାରେ ନେତାଜୀ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଜାପାନୀ ସେନା ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିବା ତଦନ୍ତଗୁଡ଼ିକରେ କୁହାଯାଇଛି। ୧୯୪୫ ସେପ୍ଟେମ୍ବରରୁ ଟୋକିଓର ରେଙ୍କୋଜି ବୌଦ୍ଧ ମନ୍ଦିରରେ ତାଙ୍କ ଅବଶେଷ ଏକ କଳସରେ ସଂରକ୍ଷିତ ଥିବା ଦାବି କରାଯାଏ।

ଏବେ ସୁପ୍ରିମକୋର୍ଟର ନୋଟିସ ପରେ କେନ୍ଦ୍ର ସରକାରଙ୍କ ଜବାବ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.