ଭୁବନେଶ୍ବର:ଲାଞ୍ଚ ମାମଲାରେ ଓଡ଼ିଶା ପ୍ରାଶାସନିକ ସେବା (ଓପ୍ରସେ) ଅଧିକାରୀ ତଥା ବରଗଡ଼ଜିଲ୍ଲା ବିଜେପୁରର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନାଙ୍କୁ କାରାଦଣ୍ଡ । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ ବିରୋଧରେ ଚାଲିଥିବା ଏକ ମାମଲାର ବିଚାର କରି ତାଙ୍କୁ ୩ବର୍ଷ କାରାଦଣ୍ଡ ଏବଂ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକାରୀ ଜଣକ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିଲେ । ଏନେଇ ଦୁର୍ନୀତି ନିବାରଣଆଇନର ଧାରା ୧୩(୨), ୧୩(୧) (ଡି) ଓ ୭ରେ ଏକ ମାମଲା ରୁଜୁ କରାଯାଇଥିଲା।
ଏହି ମାମଲାରେ ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଅଭିଯୋଗଫର୍ଦ୍ଦ ଆଧାରରେ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ (ଭିଜିଲାନ୍ସ କୋର୍ଟ) ୩ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।
