ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷାରେ ଥିବା ପ୍ରଚେଷ୍ଟା ସୀମା ବା ‘Attempt Limit’କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଣିକି ପ୍ରାର୍ଥୀମାନେ ନିର୍ଦ୍ଧାରିତ ସର୍ବୋଚ୍ଚ ବୟସସୀମା ମଧ୍ୟରେ ଥିବା ପର୍ଯ୍ୟନ୍ତ OCS ପରୀକ୍ଷା ଦେଇପାରିବେ। ଏହା ସହିତ ରାଜ୍ୟର ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ୪୨ ବର୍ଷ କରାଯାଇଛି। ଫଳରେ ଦୀର୍ଘଦିନ ଧରି ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅନେକ ଆଶାୟୀଙ୍କୁ ଅଧିକ ସୁଯୋଗ ମିଳିବ।
ତେବେ OCS ପରୀକ୍ଷାରେ ପୂର୍ବରୁ ପ୍ରାର୍ଥୀଙ୍କ ପାଇଁ ଆଟେମ୍ଟ ସଂଖ୍ୟା ନିର୍ଦ୍ଧାରିତ ଥିଲା। ସାଧାରଣ ବର୍ଗର ପ୍ରାର୍ଥୀ ସର୍ବାଧିକ ୬ ଥର OCS ପରୀକ୍ଷା ଦେଇପାରୁଥିଲେ। SEBC ପ୍ରାର୍ଥୀଙ୍କ ପାଇଁ ଏହି ସୀମା ୯ ଥର ଥିଲା। ଅନ୍ୟପଟେ SC ଓ ST ପ୍ରାର୍ଥୀଙ୍କ ପାଇଁ ଚେଷ୍ଟା ସଂଖ୍ୟାର କୌଣସି ସୀମା ନଥିଲା, ଯେପର୍ଯ୍ୟନ୍ତ ସେମାନେ ନିର୍ଦ୍ଧାରିତ ବୟସ ଓ ଅନ୍ୟ ଯୋଗ୍ୟତା ପୂରଣ କରୁଥିଲେ। ଅର୍ଥାତ୍, ଜଣେ ସାଧାରଣ ବର୍ଗର ଆଶାୟୀ ୬ ଥର ପରୀକ୍ଷା ଦେଇ ବିଫଳ ହେଲେ, ବୟସସୀମା ଥିଲେ ମଧ୍ୟ ପରବର୍ତ୍ତୀ OCS ପରୀକ୍ଷାରେ ଆଉ ଆବେଦନ କରିପାରୁନଥିଲେ।
କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା ଅନୁସାରେ ୬ଟି ଚେଷ୍ଟାର ସୀମା ହଟାଇ ଦିଆଯିବ। ଏଣିକି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟ ଯୋଗ୍ୟତା ହେବ ନିର୍ଦ୍ଧାରିତ ବୟସସୀମା ଓ ଅନ୍ୟ ଆବଶ୍ୟକ ସର୍ତ୍ତ ପୂରଣ କରିବା। ଯଦି ସରଳ ଭାବେ କହିବା, ଏବେ ନିର୍ଦ୍ଧାରିତ ବୟସସୀମା ୪୨ ବର୍ଷ ପର୍ଯ୍ୟନ୍ତ ଜଣେ ପ୍ରାର୍ଥୀ ସିଭିଲ୍ ସର୍ଭିସ୍ ପାଇଁ ପରୀକ୍ଷାରେ ବସିପାରିବେ ।
ଏହା ସହିତ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶର ସର୍ବୋଚ୍ଚ ବୟସସୀମା ୪୨ ବର୍ଷ କରାଯାଇଛି। ଏହି ବୟସସୀମା ବୃଦ୍ଧିରେ ୟୁନିଫର୍ମଡ ସର୍ଭିସେସ୍ ପାଇଁ ଅଲଗା ନିୟମ ଲାଗୁ ହେବ। ୨୦୨୫ରେ ରାଜ୍ୟ ସରକାର ସାଧାରଣ ସରକାରୀ ନିଯୁକ୍ତି ପାଇଁ ବୟସସୀମା ବଢ଼ାଇବା ନେଇ ନିଷ୍ପତ୍ତି ନେଇଥିଲେ । ଏହାର ଅର୍ଥ ହେଉଛି, ଯେଉଁ ଯୁବକ-ଯୁବତୀମାନେ ବୟସ ବଢ଼ିଯିବା କାରଣରୁ ସରକାରୀ ଚାକିରି ପରୀକ୍ଷାରୁ ବାଦ୍ ପଡ଼ୁଥିଲେ, ସେମାନଙ୍କୁ ଏବେ ଅଧିକ ସମୟ ମିଳିବ।
ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଅନୁକମ୍ପାମୂଳକ ନିଯୁକ୍ତି ସମ୍ପର୍କିତ ନିୟମରେ ମଧ୍ୟ କୋହଳ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ନିର୍ଭରଶୀଳ ସଦସ୍ୟଙ୍କୁ ଦିଆଯାଉଥିବା ଅନୁକମ୍ପାମୂଳକ ନିଯୁକ୍ତିରେ ପୂର୍ବରୁ ଥିବା କେତେକ କଟକଣାକୁ ସରକାର ନରମ କରିଛନ୍ତି। ଏହାଦ୍ୱାରା ପୂର୍ବରୁ ନିୟମ ଯୋଗୁଁ ନିଯୁକ୍ତିରୁ ବଞ୍ଚିତ ହେଉଥିବା କିଛି ପରିବାର ଉପକୃତ ହେବେ।
ତେବେ ଏହି ଘୋଷଣା ପରେ OPSC ପକ୍ଷରୁ ସଂଶୋଧିତ ନିୟମ/ବିଜ୍ଞପ୍ତି ପ୍ରକାଶ ହେବା ପରେ ଏହା କେଉଁ ନିଯୁକ୍ତି ଚକ୍ରଠାରୁ ଲାଗୁ ହେବ ଏବଂ ବୟସସୀମାର ନିର୍ଦ୍ଧାରିତ ତାରିଖ କିପରି ଗଣନା ହେବ, ସେନେଇ ସ୍ପଷ୍ଟତା ମିଳିବ। ଯାହା ଲକ୍ଷ ଲକ୍ଷ OCS ଆଶାୟୀଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଦେବ । ତେବେ ୨୦୨୬ OCS ପ୍ରକ୍ରିୟାରେ ପୂର୍ବରୁ ପ୍ରକାଶିତ ଯୋଗ୍ୟତା ନିୟମରେ ବୟସ ଓ ଚେଷ୍ଟା ସମ୍ପର୍କିତ ପୁରୁଣା ବ୍ୟବସ୍ଥା ଥିଲା।
