ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗ। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ। ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଡିଜିପି ଚୟନ ନେଇ ରାଜ୍ୟ ସରକାରଙ୍କ ପକ୍ଷ ରଖିଥିଲେ।
ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ୱାଇ.ବି. ଖୁରାନିଆ ଡିଜିପି ପଦରୁ ଅବସର ନେଇଥିବା ସତ୍ତ୍ୱେ ଓଡ଼ିଶାକୁ ସ୍ଥାୟୀ ଡିଜିପି ମିଳିପାରିନାହାନ୍ତି। ଏନେଇ ସୁପ୍ରିମକୋର୍ଟରେ ମାମଲା ଥିବା କାରଣରୁ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ ରାଜ୍ୟର ପୋଲିସ୍ ମୁଖ୍ୟ ଭାବେ ଅତିରିକ୍ତ ଦାଯିତ୍ୱ ମିଳିଛି। କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ମଧ୍ୟ ଡିଜିପି ପଦ ଲାଗି ଚୂଡାନ୍ତ ୩ ନାଁ ଚୟନ ପ୍ରକ୍ରିୟା ବନ୍ଦ ରଖିଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହିଁ ୟୁପିଏସ୍ସି ବୈଠକ କରିବ ବୋଲି ସୁପ୍ରିମକୋର୍ଟରେ ଜଣାଇସାରିଛି।
ଗତ ୧୪ ଅଗଷ୍ଟରେ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆମିକସକ୍ୟୁରୀ ରାଜୁ ରାମଚନ୍ଦ୍ରନ ଡିଜିପି ଚୟନରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରି ପିଆଇଏଲ୍ ଫାଇଲ କରିଥିବା ଆବେଦନକାରୀଙ୍କୁ ସମର୍ଥନ କରିଥିଲେ। ଓଡ଼ିଶା ସରକାର ଡିଜିପି ଚୟନ ସମୟରେ ସୁପ୍ରିମକୋର୍ଟଙ୍କ ୨୦୦୬ ପ୍ରକାଶ ସିଂ ମାମଲାର ରାୟକୁ ଠିକ୍ ଭାବେ ଅନୁପାଳନ କରି ନଥିବା କହିଥିଲେ। ଯେଉଁଥିଲାଗି ମାମଲାକୁ ସୁପ୍ରିମକୋର୍ଟ ଆହୁରି ଗୁରୁତ୍ୱର ସହ ବିଚାରକୁ ନେଇ ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଥିଲେ।

