Latest Odisha News

BREAKING NEWS

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀ ସରକାରଙ୍କ ଆଣ୍ଟି-କରପ୍ସନ ବ୍ରାଞ୍ଚ (ଏସିବି) ଗିରଫ କରିଛି । ସତ୍ୟେନ୍ଦ୍ର ଜୈନଙ୍କ ବ୍ୟତୀତ ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍ ଅଫିସର ତଥା ଡିଜେବିର ପୂର୍ବତନ ସିଇଓ ଉଦିତ୍ ପ୍ରକାଶ ରାୟ ଏବଂ ଅନ୍ୟ ୪ ଜଣଙ୍କୁ ମଧ୍ୟ ଏସିବି ଦ୍ୱାରା ଗିରଫ କରାଯାଇଛି ।

ଦିଲ୍ଲୀ ଜଳ ବୋର୍ଡ ଅଧୀନରେ ଥିବା ୧୦ଟି ସ୍ୱେରେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ଉନ୍ନତୀକରଣ ଏବଂ ସମ୍ପ୍ରସାରଣ ପାଇଁ ବଣ୍ଟା ଯାଇଥିବା ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଟେଣ୍ଡର ଆବଣ୍ଟନ ପ୍ରକ୍ରିୟାରେ ଚକ୍ରାନ୍ତ କରି ନିର୍ଦ୍ଦିଷ୍ଟ କମ୍ପାନୀକୁ ଫାଇଦା ପହଞ୍ଚାଇବା ପାଇଁ ଟେଣ୍ଡର ନିୟମାବଳୀରେ ବ୍ୟାପକ ହେରଫେର କରାଯାଇଥିବା ନେଇ ଏସିବି ପକ୍ଷରୁ କୁହାଯାଇଛି । ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଡିଜେବିର ପୂର୍ବତନ ଚୁକ୍ତିଭିତ୍ତିକ ପରାମର୍ଶଦାତା ଅଙ୍କିତ ଶ୍ରୀବାସ୍ତବ, ଏଏନ୍ ଏଣ୍ଟରପ୍ରାଇଜେସ୍‌ର ମାଲିକ ନାଗେନ୍ଦ୍ର ଯାଦବ, ୟୁରୋଟେକ୍ ଏନଭାଇରନମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ରାଜା କୁମାର କୁର୍ରା ଏବଂ ସୃଜନହାରର ମାଲିକ ପଙ୍କଜ ବର୍ମା ସାମିଲ ଅଛନ୍ତି।

ଏସିବିର ତଦନ୍ତରୁ ଜଣାପଡ଼ିଛି ଯେ, ବେଆଇନ ଭାବେ ଟେଣ୍ଡର ନିୟମ ବଦଳାଯାଇ ମେସର୍ସ ୟୁରୋଟେକ୍ ଏନଭାଇରନମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡକୁ ଲାଭ ପହଞ୍ଚାଯାଇଥିଲା। ଏଥିପାଇଁ ବିପୁଳ ପରିମାଣର ଲାଞ୍ଚ କାରବାର ହୋଇଥିଲା। ଏହି ଟେଣ୍ଡର ବାବଦକୁ ପୂର୍ବତନ ସିଇଓ ଉଦିତ୍ ପ୍ରକାଶ ରାୟ ଏବଂ ତାଙ୍କ ସମ୍ପର୍କୀୟମାନେ ବିଭିନ୍ନ ମଧ୍ୟସ୍ଥ କମ୍ପାନୀ ଜରିଆରେ ପ୍ରାୟ ୧.୫୨ କୋଟି ଟଙ୍କାର ଲାଞ୍ଚ ନେଇଥିଲେ । ଏହି କଳାଧନ ବ୍ୟବହାର କରି ପରବର୍ତ୍ତୀ ସମୟରେ ସେମାନେ ବିଭିନ୍ନ ସ୍ଥାବର ସମ୍ପତ୍ତି କିଣିଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅଭିଯୋଗ ଆଧାରରେ ୨୦୨୪ ମେ ମାସ ୧୧ ତାରିଖରେ ଏସିବି ପ୍ରଥମେ ଏକ ଏଫଆଇଆର୍ ରୁଜୁ କରିଥିଲା। ବର୍ତ୍ତମାନ ଏସିବି ପକ୍ଷରୁ ଏହି ଦୁର୍ନୀତିର ସମ୍ପୂର୍ଣ୍ଣ ଆର୍ଥିକ କାରବାର ଏବଂ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଖୋଳତାଡ଼ ଜାରି ରହିଛି। ଆଗକୁ ଏହି ମାମଲାରେ ଆହୁରି ଅନେକ ବଡ଼ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.