Latest Odisha News

BREAKING NEWS

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ଆଜାଦ୍

ପାରଳାଖେମୁଣ୍ଡି: ଦୀର୍ଘ ୧୫ ବର୍ଷ ଜେଲରେ ବିଚାରାଧୀନ କଏଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ ନେତା ଆଜାଦ ଓରଫ ଡନା କେଶବ ରାଓ। ଆଜି ଏକ ସ୍ୱତନ୍ତ୍ର କୋର୍ଟର ରାୟ ଅନୁସାରେ ତାଙ୍କୁ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ଚାରି ସହଯୋଗୀଙ୍କ ହତ୍ୟା ମାମଲାରେ ଜେଲ ଯାଇଥିଲେ ଆଜାଦ। ପ୍ରାୟ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ପରେ ଗଜପତି ଜିଲ୍ଲାର ଏକ ସ୍ୱତନ୍ତ୍ର ଅଦାଲତ ମଙ୍ଗଳବାର ଦିନ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଡନା କେଶବ ରାଓ ଓରଫ ଆଜାଦଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଗତ ୨୦୧୧ ମସିହା ମେ’ ୨୯ ତାରିଖରେ ମାଓ ନେତା ଆଜାଦ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ, କିନ୍ତୁ ପରେ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ମୋଟ ୪୯ଟି ମାମଲା ରହିଥିଲା। ଗୃହ ବିଭାଗର ଅବହେଳା ଯୋଗୁ ଦୀର୍ଘ ଦିନ ଧରି ତାଙ୍କ ମାମଲାଗୁଡ଼ିକର କୌଣସି ବିଚାର କରାଯାଇନଥିଲା ଏବଂ ସେ ଜେଲରେ ଦିନ କାଟୁଥିଲେ।

ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖି ଆଜାଦ ଗତ ୨୦୨୫ ଜୁଲାଇ ୨୧ ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜାଦଙ୍କ ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଏକ ବର୍ଷ ମଧ୍ୟରେ ସ୍ୱତନ୍ତ୍ର କୋର୍ଟ ମାଧ୍ୟମରେ ସମସ୍ତ ମାମଲାର ଫଇସଲା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡିଠାରେ ଏକ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଇଥିଲା। ଗଜପତି, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାର ୩୬ଟି ଏବଂ ଆନ୍ଧ୍ରପ୍ରଦେଶର ୧୨ଟି ମାମଲାର ତୁରନ୍ତୁ ଶୁଣାଣି କରାଯାଇଥିଲା।

ଆଜାଦଙ୍କ ବିରୋଧରେ ଅନେକ ମାଓ ହିଂସା ଏବଂ ଚର୍ଚ୍ଚିତ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାମାମଲା ଭଳି ଗମ୍ଭୀର ଅପରାଧିକ ମାମଲା ରହିଥିଲା। ମାତ୍ର ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଅଭାବରୁ ଆଜି ସମସ୍ତ ମାମଲାରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଜୀବନର ମୂଲ୍ୟବାନ ୧୫ ବର୍ଷରୁ ଅଧିକ ସମୟ ବିଚାରାଧୀନ କୈଦୀ ଭାବେ ଜେଲରେ କଟାଇବା ପରେ ଶେଷରେ ନ୍ୟାୟ ମିଳିଛି। ତେବେ ଏତେ ଦୀର୍ଘ ସମୟ ଧରି କୌଣସି ବିଚାର ନକରି ଜେଲରେ ରଖାଯିବା ଅନ୍ୟାୟ ବୋଲି ଦର୍ଶାଇ ଆଜାଦଙ୍କ ଓକିଲ ସ୍ୱରୂପ କୁମାର ପାଳ କହିଛନ୍ତି ଯେ ଏହାର ସମସ୍ତ ହିସାବ ସରକାରଙ୍କ ନିକଟରୁ ମଗାଯିବ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଥିଲେ ଓଡ଼ିଶାର ଜଣେ ପ୍ରମୁଖ ହିନ୍ଦୁ ସନ୍ନ୍ୟାସୀ, ସମାଜସେବକ ତଥା ପ୍ରଚାରକ। ସେ କନ୍ଧମାଳ ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି, ଶିକ୍ଷା ଏବଂ ଗୋରକ୍ଷା ପାଇଁ କାମ କରିଥିଲେ। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ତାଙ୍କୁ ଜଳେଶ୍ୱରପାଳ ଆଶ୍ରମରେ ହତ୍ୟା କରାଯାଇଥିଲା, ଯାହା ପରେ ସେଠାରେ ବଡ଼ଧରଣର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା।

Leave A Reply

Your email address will not be published.