ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ ରହିବ, ତାହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଉଭୟ ଦେଶ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ନିଜର ଦବଦବା ଦାବି କରୁଥିବା ବେଳେ ସାମୁଦ୍ରିକ ଗମନାଗମନର ସଦ୍ୟତମ ତଥ୍ୟ ଏକ ଭିନ୍ନ ଚିତ୍ର ଉପସ୍ଥାପନ କରୁଛି।
ଜାହାଜ ଚଳାଚଳ ଉପରେ ନଜର ରଖୁଥିବା ସଂସ୍ଥା ‘କେପ୍ଲର’ର ତଥ୍ୟ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାଇଥିବା ମୋଟ ଜାହାଜର ୮୦ ପ୍ରତିଶତରୁ ଅଧିକ ଜାହାଜ ଓମାନ ଜଳପଥର ବ୍ୟବହାର କରିଛନ୍ତି। ଜାତିସଂଘ ଅନୁମୋଦିତ ଏହି ମାର୍ଗକୁ ଇରାନ ତୀବ୍ର ବିରୋଧ କରୁଛି। ଇରାନ ଏହି ପ୍ରଣାଳୀ ଉପରେ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଦାବି କରିବା ସହ ଓମାନ ଉପକୂଳ ଦେଇ ଯାଉଥିବା ଅନେକ ଜାହାଜ ଉପରେ ମଧ୍ୟ ଆକ୍ରମଣ କରିଛି। ତେବେ ଏତେ ବିପଦ ସତ୍ତ୍ୱେ ଆମେରିକୀୟ ନୌସେନାର ସୁରକ୍ଷା ବଳରେ ଅଧିକାଂଶ ବାଣିଜ୍ୟିକ ଜାହାଜ ଏହି ମାର୍ଗ ଦେଇ ଯାତାୟାତ ଜାରି ରଖିଛନ୍ତି।
କେପ୍ଲରର ଅଶୋଧିତ ତୈଳ ବିଶ୍ଳେଷଣ ମୁଖ୍ୟ ହୁମାୟୁନ୍ ଫଲକଶାହି କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ହେଉଛି ଯେ ଇରାନ ଏବେ ହରମୁଜ୍ ପ୍ରଣାଳୀ ଉପରୁ ନିଜର ନିୟନ୍ତ୍ରଣ କିଛି ମାତ୍ରାରେ ହରାଇ ବସିଛି। ଗୋଟିଏ ମାସ ତଳେ ଓମାନ ମାର୍ଗ ଦେଇ ପ୍ରାୟ କୌଣସି ଜାହାଜ ଯାଉନଥିବା ବେଳେ ବର୍ତ୍ତମାନ ଏଥିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଇରାନ ଦେଇ ଯାଉଥିବା ମାର୍ଗରେ ଜାହାଜ ଚଳାଚଳ ହ୍ରାସ ପାଇବା ଫଳରେ, ତେହେରାନ ଆଦାୟ କରୁଥିବା ଟୋଲ୍ ଟିକସ ମଧ୍ୟ ପ୍ରଭାବିତ ହୋଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଜଳପଥ ଉପରେ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଦାବି କରୁଥିବାବେଳେ, ବିଶେଷଜ୍ଞମାନେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ସତ ବୋଲି ମାନୁନାହାନ୍ତି। ଇରାନର କ୍ରମାଗତ ଆକ୍ରମଣ ଏବଂ ତୈଳ ପରିବହନରେ ହ୍ରାସ ଦର୍ଶାଉଛି ଯେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଏଯାଏଁ ସମ୍ଭବ ହୋଇନାହିଁ। ଏହାରି ଭିତରେ, ଆମେରିକାକୁ ବାଦ୍ ଦେଇ ଓମାନ ଏବଂ ଇରାନ ମଧ୍ୟରେ ଏହି ଜଳପଥର ନିରାପତ୍ତା ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନା ଆଗାମୀ ଦିନରେ କି ରୂପ ନେବ, ତାହା ଉପରେ ଏବେ ବିଶ୍ୱବଜାରର ନଜର ରହିଛି।

