ଭୁବନେଶ୍ଵର:ବାରମ୍ବାର ବନ୍ୟାକୁ ନେଇ ବୈତରଣୀ ବନ୍ୟା ପାଇଁ ପାୱାର ପ୍ରୋଜେକ୍ଟସ୍ କୁ କାରଣ ଦର୍ଶାଅ ନୋଟିସ୍ । ବନ୍ୟା ସମୟରେ ବେନିୟମ ଭାବେ ବ୍ୟାରେଜ୍ ଗେଟ୍ ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଜଳ ସମ୍ପଦ ବିଭାଗ । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ଚିଠି କରାଯାଇଛି । SRC ପ୍ରଭାକର ପାଟିଲ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, BPPLବିନା ସହମତିରେ ପାଣି ଛାଡିବା ଯୋଗୁଁ ବୈତରଣୀରେ ବନ୍ୟା ଗମ୍ଭୀର ରୂପ ଧାରଣ କଲା । ନିଜ ପାୱାର ଜେନେରେସନ କରିବା ପାଇଁ ମନ ଇଚ୍ଛା ଗେଟ୍ ଖୋଲିଥିଲା ।
ନୋଟିସ୍ରେ ଗୁରୁତର ଅଭିଯୋଗ ଉଠାଯାଇଛି । ସର୍ବାଧିକ ବନ୍ୟା କିମ୍ବା ଆକସ୍ମିକ ବନ୍ୟା ସ୍ଥିତି ସମୟରେ BPPL ପକ୍ଷରୁ ବ୍ୟାରେଜ୍ ଗେଟ୍ଗୁଡ଼ିକର ଅନିୟମିତ ପରିଚାଳନା କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏପରିକି ଗେଟ୍ ପରିଚାଳନାରେ ନିୟମ ଉଲ୍ଲଂଘନ ଯୋଗୁଁ ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ମଧ୍ୟ ରହିଛି । ଯାହାର ପ୍ରଭାବରେ ତଳମୁଣ୍ଡ ଅଞ୍ଚଳର ଲୋକେ ବନ୍ୟା ଯୋଗୁଁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ତେବେ ଏହି ଅଭିଯୋଗ ଉପରେ BPPLକୁ ନିଜ ପକ୍ଷ ରଖିବାକୁ କୁହାଯାଇଛି ।

