ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ଓୟୁଏଟି ଅଧୀନରେ ଥିବା କୃଷି ମହାବିଦ୍ୟାଳୟ ନିକଟରେ ତିଆରି ହେଉଥିବା ଏକ ନିର୍ମାଣାଧୀନ ବକ୍ସ-ଗେଟର ଛାତ ହଠାତ୍ ଭୁସୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି ।
ଗେଟ୍ ନିର୍ମାଣ ପାଇଁ ଛାତ ପକାଇବା କାର୍ଯ୍ୟ ଚାଲୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରମିକମାନେ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍ ସେଣ୍ଟ୍ରିଂ ଖସିପଡ଼ିବା ଫଳରେ ଢଳେଇ ହେଉଥିବା ଛାତଟି ତଳକୁ ଖସି ପଡ଼ିଥିଲା। ଏହା ତଳେ ଚାପି ହୋଇଯାଇଥିବା ୩ ଜଣ ଶ୍ରମିକଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହି ଦୁର୍ଘଟଣା ପରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷଦର୍ଶୀ ତଥା ଅନ୍ୟ ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ, ଗେଟ୍ ଛାତ ପକାଇବା ପାଇଁ କରାଯାଇଥିବା ସେଣ୍ଟ୍ରିଂ କାର୍ଯ୍ୟରେ ବ୍ୟାପକ ତ୍ରୁଟି ରହିଥିଲା। ତ୍ରୁଟିପୂର୍ଣ୍ଣ ସେଣ୍ଟ୍ରିଂ ଏବଂ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ଅଘଟଣ ଘଟିଲା ବୋଲି ଶ୍ରମିକମାନେ ଦାବି କରିଛନ୍ତି। ନିର୍ମାଣ ସ୍ଥଳରେ ଶ୍ରମିକମାନଙ୍କ ପାଇଁ କୌଣସି ପ୍ରକାର ଆବଶ୍ୟକୀୟ ସୁରକ୍ଷା ଉପକରଣ ମଧ୍ୟ ବ୍ୟବହାର କରାଯାଉନଥିବା ଦେଖିବାକୁ ମିଳିଥିଲା ।
ଓୟୁଏଟି ଭଳି ଏକ ସମ୍ମାନଜନକ ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଦାୟିତ୍ୱହୀନ ତଥା ନିମ୍ନମାନର କାମ କିପରି ଚାଲିଥିଲା, ତାହାକୁ ନେଇ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ତରଫରୁ ଏହି ଘଟଣାର ତଦନ୍ତ କରି ଦୋଷୀ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

