Latest Odisha News

BREAKING NEWS

ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଦୀର୍ଘଦିନର ତିକ୍ତତାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଉଭୟ ରାଜ୍ୟର ଜଳ ଆବଶ୍ୟକତା ଏବଂ ଦାବି ସମ୍ପର୍କିତ ବିଭିନ୍ନ ତଥ୍ୟର ଟିକିନିଖି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଷୟିକ କମିଟି ଗଠନ କରାଯାଇଛି ।

ଏହି କମିଟି ତଥ୍ୟର ବିଶ୍ଳେଷଣ କରିବା ପରେ ରିପୋର୍ଟ ପ୍ରଦାନ କରିବ, ଯାହାକି ଆଗାମୀ ଦିନରେ ଏହି ବିବାଦର ସମାଧାନ ପାଇଁ ବାଟ ଫିଟାଇବ । ରାଜ୍ୟ ଆଡଭୋକେଟ୍ ଜେନେରାଲ୍ (ଏଜି) ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଓଡ଼ିଶା ଏବଂ ଛତିଶଗଡ଼ ସରକାର ନିଜ ନିଜର ଦାବି ତଥା ଜଳ ଚାହିଦା ସମ୍ପର୍କିତ ବିସ୍ତୃତ ରିପୋର୍ଟ ସିଡବ୍ଲ୍ୟୁସି ନିକଟରେ ଦାଖଲ କରିସାରିଛନ୍ତି ।

ଏବେ ଏହି ନୂତନ ବୈଷୟିକ କମିଟି ସେହି ସବୁ ତଥ୍ୟର ବୈଷୟିକ ଆକଳନ କରୁଛି। ଏହି ବିଶ୍ଳେଷଣ ମାଧ୍ୟମରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଜଳ ବଣ୍ଟନ ବିବାଦର ଏକ ନିରପେକ୍ଷ ତଥା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି ।

ଗତ ଜୁଲାଇ ମାସରେ ହୋଇଥିବା ଶୁଣାଣି ସମୟରେ, ଏହି ମାମଲାର ଆପୋଷ ବୁଝାମଣା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ସିଡବ୍ଲ୍ୟୁସିକୁ ମଧ୍ୟସ୍ଥତା କରିବାକୁ ଟ୍ରିବ୍ୟୁନାଲ୍ ପରାମର୍ଶ ଦେଇଥିଲେ। ଏଥିସହ ଏକ ମିଳିତ ବୈଷୟିକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଟ୍ରିବ୍ୟୁନାଲ୍‌ର ଏହି ନିର୍ଦ୍ଦେଶ କ୍ରମେ ଏବେ ସିଡବ୍ଲ୍ୟୁସିର ଏହି ତ୍ୱରିତ ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ସୂଚନାଯୋଗ୍ୟ ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ରାଜ୍ୟର କୃଷି, ଶିଳ୍ପ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଏହି ନଦୀର ଜଳ ଉପରେ ନିର୍ଭରଶୀଳ। ଏଜି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ଦିଗରେ ଆଗଉଛି ।

ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ ଏବଂ ପାରସ୍ପରିକ ବୁଝାମଣା ଦ୍ୱାରା ଖୁବ୍‌ଶୀଘ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗର ଏକ ସ୍ଥାୟୀ ସମାଧାନ ବାହାରିବ ବୋଲି ରାଜ୍ୟବାସୀ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.