ଭୁବନେଶ୍ବର:ଚଳିତବର୍ଷ ଗଣେଶ ପୂଜାରେ ମୁକ୍ତିଲାଭ କରିବ ସିନେକ୍ରାଫ୍ଟ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ– ଦ ଫ୍ଲେମ୍ ଅଫ୍ ଜଷ୍ଟିସ୍’ । ପରମ୍ପରା ଓ ଆଧୁନିକ ସିନେମାର ମିଶ୍ରଣରେ ପ୍ରସ୍ତୁତ ଏହି ସିନେମା ଦଣ୍ଡନାଚର ପରମ୍ପରାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବ । ତେବେ ସିନେମା ମୁକ୍ତିଲାଭ ପୂର୍ବରୁ ଏହାର ମ୍ୟୁଜିକ ସହ ଟିଜର ରିଲିଜ ହୋଇଛି । ଫିଲ୍ମଟି ସେପ୍ଟେମ୍ବର ୨୦ ତାରିଖରେ ମୁକ୍ତିଲାଭ କରିବ ।
ଚଳଚ୍ଚିତ୍ରରେ ମହାଶ୍ୱେତା ରାୟ, ସୂର୍ଯ୍ୟମୟୀ ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ଉଦିତ୍ ଗୁରୁ, ଏଲି ପାଢୀ, ତୃପ୍ତି ମୀରାମ୍ବିକା, ଚିତ୍ରସେନ ଘୋଷ, କୃଷ୍ଣ କର, ଉଷସୀ ମିଶ୍ରଙ୍କ ସମେତ ଅନେକ ଅଭିନେତା ଦେଖିବାକୁ ମିଳିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ, ପ୍ରଯୋଜନା କରିଛନ୍ତି ରାଜଶ୍ରୀ ଘୋଷ ଏବଂ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ପ୍ରେମ ଆନନ୍ଦ । କାହାଣୀ ଅଭିସିକ୍ତ ମିଶ୍ର ଲେଖିଥିବା ବେଳେ ଗୀତକୁ ସଂଗୀତରେ ସଜେଇଛନ୍ତି ବାପୁ ଗୋସ୍ୱାମୀ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ ।
ଓଡ଼ିଶାର ଲୋକ ପରମ୍ପରା, ଭକ୍ତି ଓ ଦଣ୍ଡଯାତ୍ରାର ମହିମାକୁ ନେଇ ‘ଦଣ୍ଡକାଳୀ’ ସିନେମା ପ୍ରସ୍ତୁତ ହୋଇଛି । ଦକ୍ଷିଣ ଓଡ଼ିଶାର ମହାନ ପରମ୍ପରାକୁ ଚଳଚ୍ଚିତ୍ର ମାଧ୍ୟମରେ ଜାଣିବେ ଦର୍ଶକ । ଫିଲ୍ମଟି ଏକ କାଳ୍ପନିକ ଥ୍ରିଲର୍ ଭାବେ ନିର୍ମିତ ହୋଇଛି ଏବଂ ଏଥିରେ ଓଡ଼ିଶାର ପ୍ରାଚୀନ ଦଣ୍ଡନାଚ ପରମ୍ପରାକୁ ବିଶେଷ ଭାବେ ସ୍ଥାନ ଦିଆଯାଇଛି । ଓଡ଼ିଶାରେ ଥିବା ବିଭିନ୍ନ ପ୍ରକାର ଦଣ୍ଡନାଚକୁ ଏଥିରେ ଦେଖାଯାଇଛି ।
ଭକ୍ତି, ବଳିଦାନ ଓ ପରମ୍ପରାର ଏହି ଜୀବନ୍ତ ଚିତ୍ରକୁ ସିନେମା ମାଧ୍ୟମରେ ଦର୍ଶକଙ୍କ ନିକଟରେ ବିଶେଷ କରି ଏହି ପୁରୁଣା ଓ ହଜିଯାଉଥିବା ପୁରୁଣା ପରମ୍ପରାକୁ ଆଜିର ଯୁବ ପିଢିଙ୍କ ପାଖରେ ପହଞ୍ଚାଇବାକୁ ଏଭଳି କାହାଣୀକୁ ଚିତ୍ରିତ କରିଛି ପ୍ରଯୋଜନା ସଂସ୍ଥା ।

