Latest Odisha News

BREAKING NEWS

Kashmiri Pandits: ‘ପାଦେ ପାଦେ ନଜର…’, କଶ୍ମୀରରେ ପୁଣି ଆତଙ୍କ, ୧୫ ଦିନରେ ଦ୍ୱିତୀୟ ଥର କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା ଧମକ

ଶ୍ରୀନଗର: କଶ୍ମୀରୀ ପଣ୍ଡିତଙ୍କୁ ପୁଣି ମିଳିଛି ହତ୍ୟା ଧମକ। ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ଚିଠି ଭାଇରାଲ ହୋଇଛି। ‘ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ’ ବା ULC ନାମରେ ଏହି ନୂଆ ଧମକ ଦିଆଯାଇଛି। ଚିଠିରେ କିଛି କଶ୍ମୀରୀ ପଣ୍ଡିତ ପରିବାରର ନାମ ଓ ଠିକଣା ଉଲ୍ଲେଖ କରାଯାଇଥିବା ଦାବି ରହିଛି। ଏହା ସହିତ, ‘ଆମେ ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖିଛୁ’ ବୋଲି ଧମକ ଦିଆଯାଇଛି।

ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ୨୩ ଅଗଷ୍ଟ ୨୦୨୬ ତାରିଖ ଥିବା ଏକ ଚିଠି ଭାଇରାଲ ହେଉଛି। ଏଥିରେ ବିସ୍ଥାପିତ କାଶ୍ମୀରୀ ପଣ୍ଡିତମାନଙ୍କୁ ଟାର୍ଗେଟ୍ କରାଯାଇଛି। ଦିଲ୍ଲୀର ରାଜନୈତିକ ସ୍ୱାର୍ଥ ପାଇଁ କାମ କରୁଥିବା ‘ମୋହରା’, ‘ଦେଶଦ୍ରୋହୀ’ ଏବଂ ‘ହ୍ୱାଇଟ୍-କଲାର୍ ଆତଙ୍କବାଦୀ’ ଭଳି ଅଭିଯୋଗ ଚିଠିରେ ଲଗାଯାଇଛି। ଜମ୍ମୁ-କଶ୍ମୀରରେ RSS ସହ ଜଡ଼ିତ ଏଜେଣ୍ଡାକୁ ଆଗକୁ ବଢ଼ାଉଥିବା ଅଭିଯୋଗ ଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି।

ଚିଠିରେ ବିସ୍ଥାପିତ ପଣ୍ଡିତମାନଙ୍କୁ ଧମକ ଦେଇ କୁହାଯାଇଛି ଯେ, ସେମାନେ ଯେଉଁଠି ଥାଆନ୍ତୁ କିମ୍ବା ଯେଉଁଠି ଯାଆନ୍ତୁ, ସେମାନଙ୍କ ଗତିବିଧି ଉପରେ ନଜର ରହିଛି। ଭାଇରାଲ ଚିଠିରେ ଦାବି କରାଯାଇଛି ଯେ କଶ୍ମୀରୀ ପଣ୍ଡିତମାନଙ୍କୁ ସେମାନଙ୍କ ଧର୍ମ ପାଇଁ ନୁହେଁ, ବରଂ କଥିତ ‘ଦେଶଦ୍ରୋହୀ କାର୍ଯ୍ୟକଳାପ’ ଓ ଆଚରଣ ପାଇଁ ଟାର୍ଗେଟ୍ କରାଯାଉଛି। ତେବେ ଏହି ଧମକପୂର୍ଣ୍ଣ ଚିଠିରେ ଥିବା ଅଭିଯୋଗଗୁଡ଼ିକର କୌଣସି ସ୍ୱାଧୀନ କିମ୍ବା ସରକାରୀ ପ୍ରମାଣ ମିଳିନାହିଁ।

ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ULCକୁ ପାକିସ୍ତାନରେ ସକ୍ରିୟ ଲଶ୍କର-ଏ-ତୋଏବା (LeT)ର ଏକ ଛଦ୍ମ ସଂଗଠନ ବୋଲି ମନେ କରୁଥିବା ରିପୋର୍ଟରେ କୁହାଯାଇଛି। ULCକୁ ‘ୟୁନାଇଟେଡ୍ ଲିବରେସନ୍ କାଉନସିଲ୍’ ନାମରେ ମଧ୍ୟ ଉଲ୍ଲେଖ କରାଯାଏ। ଏହା ପୂର୍ବରୁ ୭ ଅଗଷ୍ଟରେ ULC ନାମରେ ଜାରି ହୋଇଥିବା ଆଉ ଏକ ଧମକପୂର୍ଣ୍ଣ ଚିଠିରେ ୬ ଜଣ କଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କ ନାମ ଓ ଫୋନ୍ ନମ୍ବର ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ‘ପ୍ରଧାନମନ୍ତ୍ରୀ ପ୍ୟାକେଜ୍’ ଅଧୀନରେ କାମ କରୁଥିବା କୁହାଯାଇଥିଲା। ସେମାନଙ୍କ ପରିବାର, କାର୍ଯ୍ୟସ୍ଥଳ ଓ ଠିକଣା ସମ୍ପର୍କରେ ମଧ୍ୟ ସୂଚନା ଥିବା ଦାବି କରାଯାଇଥିଲା।

ଲଗାତାର ଧମକକୁ ନେଇ କଶ୍ମୀରୀ ପଣ୍ଡିତ ସଂଗଠନଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ପଣୁନ୍ କଶ୍ମୀର ସମେତ ପଣ୍ଡିତ ସଂଗଠନଗୁଡ଼ିକ ଏହାକୁ ଉପତ୍ୟକାର ପରିସ୍ଥିତି ପୁଣି ବିଗିଡ଼ିବାର ଗୁରୁତର ସଙ୍କେତ ବୋଲି କହିଛନ୍ତି। ଯେଉଁମାନଙ୍କ ନାମ ଧମକପତ୍ରରେ ରହିଛି, ସେମାନଙ୍କ ପାଇଁ ବିପଦ ଆକଳନ, ଘଟଣାର ଗଭୀର ତଦନ୍ତ ଏବଂ ଦୀର୍ଘକାଳୀନ ସୁରକ୍ଷା ବ୍ୟବସ୍ଥା ଦାବି କରାଯାଇଛି।

ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ମଧ୍ୟ ଧମକପୂର୍ଣ୍ଣ ଚିଠିଗୁଡ଼ିକର ତଦନ୍ତ ଦାବି କରିଛନ୍ତି। ଉପତ୍ୟକାରେ ରହୁଥିବା ଅନ୍ୟ ହିନ୍ଦୁମାନଙ୍କ ତୁଳନାରେ କେବଳ କଶ୍ମୀରୀ ପଣ୍ଡିତମାନଙ୍କୁ କାହିଁକି ଟାର୍ଗେଟ୍ କରାଯାଉଛି, ସେ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ଏହି ଧମକପୂର୍ଣ୍ଣ ଚିଠିଗୁଡ଼ିକ ପ୍ରକୃତରେ କେଉଁଠାରୁ ଆସିଛି ଏବଂ ଏହା ପଛରେ କିଏ ରହିଛି, ତାହାର ସରକାରୀ ଭାବେ ଏପର୍ଯ୍ୟନ୍ତ ସ୍ପଷ୍ଟତା ମିଳିନାହିଁ। ସୁରକ୍ଷା ଏଜେନ୍ସିଗୁଡ଼ିକ ଉଭୟ ଚିଠିର ସତ୍ୟତା ଯାଞ୍ଚ କରୁଛନ୍ତି ଏବଂ ଏହା ପଛରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଚଳାଇଛନ୍ତି। ଏହା ସହିତ ଧମକପୂର୍ଣ୍ଣ ବାର୍ତ୍ତା ପ୍ରଚାର କରୁଥିବା କିଛି ସନ୍ଦିଗ୍ଧ ସୋସିଆଲ ମିଡିଆ ଚ୍ୟାନେଲକୁ ବ୍ଲକ୍ କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ULC ପ୍ରଥମେ ଜୁଲାଇରେ ଚର୍ଚ୍ଚାକୁ ଆସିଥିଲା। ହିଜବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁବାର୍ଷିକୀ ସମୟରେ ଏହି ସଂଗଠନ ନାମରେ ଏକ ପୋଷ୍ଟର ଜାରି ହୋଇଥିଲା। କଶ୍ମୀରୀ ପଣ୍ଡିତମାନଙ୍କ ଫେରା ଓ ପୁନର୍ବାସ ପାଇଁ ସରକାରୀ ପ୍ରୟାସ ଜୋରଦାର ହେଉଥିବା ସମୟରେ ଏଭଳି ଧମକ ସାମ୍ନାକୁ ଆସିବା ଚିନ୍ତା ବଢ଼ାଇଛି। ତେବେ ଭାଇରାଲ ହୋଇଥିବା ଧମକପତ୍ରର ପ୍ରାମାଣିକତା ଏବଂ ଏହା ପଛରେ ଥିବା ସଂଗଠନର ଭୂମିକା ନେଇ ସୁରକ୍ଷା ଏଜେନ୍ସିର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.