Latest Odisha News

BREAKING NEWS

Baba Ram Rahim: ୭ ବର୍ଷରେ ୧୭ ପାରୋଲ୍! ପୁଣି ବାହାରକୁ ଆସିଲେ ରାମ ରହିମ, ଜାଣନ୍ତୁ ପାରୋଲ ଓ ଫରଲୋ ମଧ୍ୟରେ ପାର୍ଥକ୍ୟ କ’ଣ?

ଚଣ୍ଡିଗଡ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ପୁଣି ୨୧ ଦିନର ଫରଲୋ ମିଳିଛି। ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ଜେଲରୁ ବାହାରିଛନ୍ତି। ଏହା ତାଙ୍କର ୧୭ତମ ଅସ୍ଥାୟୀ ମୁକ୍ତି। ଏଥର ତାଙ୍କୁ ହରିୟାଣାର ସିର୍ସା ସ୍ଥିତ ଡେରା ମୁଖ୍ୟାଳୟରେ ରହିବାକୁ ଅନୁମତି ମିଳିଛି।

ରାମ ରହିମ ୨୦୧୭ରେ ଦୁଇ ମହିଳା ଅନୁଗାମୀଙ୍କ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଉଭୟ ମାମଲାରେ ତାଙ୍କୁ ୧୦-୧୦ ବର୍ଷ, ଅର୍ଥାତ୍ ମୋଟ ୨୦ ବର୍ଷର ଜେଲ୍ ଦଣ୍ଡ ମିଳିଛି। ଏହାଛଡ଼ା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ମଧ୍ୟ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ତଥାପି ଜେଲ୍ ନିୟମ ଅନୁସାରେ ଯୋଗ୍ୟତା ଓ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ତାଙ୍କୁ ବାରମ୍ବାର ଅସ୍ଥାୟୀ ମୁକ୍ତି ମିଳୁଛି।

ତାଙ୍କର ୭ ବର୍ଷର କାରାଦଣ୍ଡ ମଧ୍ୟରେ ସେ, ୧୭ ଥର ଅସ୍ଥାୟୀ ମୁକ୍ତି ପାଇସାରିଲେଣି । ଦଣ୍ଡାଦେଶ ପରଠାରୁ ଏପର୍ଯ୍ୟନ୍ତ (ପାରୋଲ୍ ଓ ଫରଲୋ ମିଶାଇ) ରାମ ରହିମ୍ ୧୭ ଥର ପାଇଁ ଜେଲ୍ କାନ୍ଥ ବାହାରକୁ ଆସିଛନ୍ତି ।

ରାମ ରହିମଙ୍କ ବାରମ୍ବାର ଅସ୍ଥାୟୀ ମୁକ୍ତିକୁ ନେଇ ଦୀର୍ଘଦିନ ଧରି ରାଜନୈତିକ ଓ ସାମାଜିକ ଚର୍ଚ୍ଚା ମଧ୍ୟ ଜାରି ରହିଛି। ହୋସିଆରପୁର ବିଧାୟକ ବ୍ରହ୍ମ ଶଙ୍କର ଜିମ୍ପା ଏହି ପାରୋଲ୍ ନିଷ୍ପତ୍ତି ଉପରେ କଡ଼ା ସମାଲୋଚନା କରି ପ୍ରଶ୍ନ ଉଠାଇଛନ୍ତି । ବିଧାୟକ ଜିମ୍ପା କହିଛନ୍ତି ଯେ, ଏଭଳି ସମ୍ବେଦନଶୀଳ ମାମଲାରେ ଜେଲ୍‌ରେ ଥିବା ବ୍ୟକ୍ତିଙ୍କୁ ବାରମ୍ବାର ପାରୋଲ୍ କିମ୍ବା ଫରଲୋ ଦେବା ଆଇନ ଏବଂ ସାଧାରଣ ଜନତାଙ୍କ ସହ ଏକ ପ୍ରକାରର ଥଟ୍ଟା । ସେ ଅଭିଯୋଗ କରିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବେ ଏକ ରାଜନୈତିକ ଫରଲୋ । ଯେତେବେଳେ ସରକାରମାନଙ୍କୁ ଲାଗେ ଯେ ଏଭଳି ବ୍ୟକ୍ତିଙ୍କ ବାହାରେ ଭୋଟ୍ ବ୍ୟାଙ୍କ ରହିଛି, ସେତେବେଳେ ନିଜ ସ୍ୱାର୍ଥ ପାଇଁ ସେମାନଙ୍କୁ ଜେଲରୁ ବାହାରକୁ ଆଣିବାକୁ ସୁଯୋଗ ଦିଆଯାଉଛି । ଏଭଳି ନିୟମିତ ପାରୋଲ ପ୍ରକ୍ରିୟାକୁ ସବୁ ସ୍ତରରେ ବିରୋଧ କରାଯିବା ଉଚିତ୍ । ବିଧାୟକ ଜିମ୍ପା ଦେଶର ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟଙ୍କୁ ଏହି ମାମଲାରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ।

ତେବେ କ’ଣ ଏହି ପାରୋଲ୍ ଏବଂ ଫରଲୋ ମଧ୍ୟରେ ତଫାତ୍? ପାରୋଲ ହେଉଛି ନିର୍ଦ୍ଦିଷ୍ଟ କାରଣ ଓ ପରିସ୍ଥିତିରେ ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କୁ ଅସ୍ଥାୟୀ ଭାବେ ବାହାରକୁ ଯିବାର ଅନୁମତି। ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କୁ ନିର୍ଦ୍ଦିଷ୍ଟ ଜରୁରୀ କାରଣରେ, ଯେପରିକି ପରିବାରରେ ଗୁରୁତର ଅସୁସ୍ଥତା, ମୃତ୍ୟୁ କିମ୍ବା ବିବାହ ଭଳି ପରିସ୍ଥିତିରେ, ନିର୍ଦ୍ଦିଷ୍ଟ ସମୟ ପାଇଁ ଜେଲ୍‌ରୁ ବାହାରିବାର ଅନୁମତିକୁ ପାରୋଲ ଦିଆଯାଏ। ପାରୋଲରେ ବାହାରେ କାଟିଥିବା ସମୟ ସାଧାରଣତଃ ଜେଲ୍‌ ଦଣ୍ଡରେ ଗଣାଯାଏ ନାହିଁ। ଏହା ପାଇଁ ନିର୍ଦ୍ଦିଷ୍ଟ ନିୟମ ଓ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ। ଅନ୍ୟପଟେ, ଦୀର୍ଘ ସମୟ ଧରି ଜେଲ୍‌ରେ ଥିବା ଯୋଗ୍ୟ ଓ ଭଲ ଆଚରଣ କରୁଥିବା କଏଦୀଙ୍କୁ ନିୟମ ଅନୁସାରେ ନିୟମିତ ବ୍ୟବଧାନରେ ମିଳୁଥିବା ସ୍ୱଳ୍ପ ସମୟର ଛୁଟି ଦିଆଯାଏ । ଯାହାକୁ ଫରଲୋ କୁହାଯାଏ। ଏହାର ଉଦ୍ଦେଶ୍ୟ କଏଦୀଙ୍କୁ ପରିବାର ଓ ସମାଜ ସହ ସମ୍ପର୍କ ବଜାୟ ରଖିବାର ସୁଯୋଗ ଦେବା। ଫରଲୋରେ ବାହାରେ କାଟିଥିବା ସମୟ ସଜା କାଟିଥିବା ସମୟ ଭାବେ ଗଣାଯାଏ। ସରଳ ଭାଷାରେ କହିଲେ, ପାରୋଲ ନିର୍ଦ୍ଦିଷ୍ଟ କାରଣ ଓ ପରିସ୍ଥିତି ସହ ଜଡ଼ିତ ଅସ୍ଥାୟୀ ମୁକ୍ତି, ଯେତେବେଳେ ଫରଲୋ ହେଉଛି ଯୋଗ୍ୟ କଏଦୀଙ୍କୁ ନିୟମ ଅନୁସାରେ ମିଳୁଥିବା ନିର୍ଦ୍ଦିଷ୍ଟ ସମୟର ଛୁଟି।

ହରିୟାଣାର ଗୁଡ୍ କଣ୍ଡକ୍ଟ ପ୍ରିଜନର୍ସ (ଟେମ୍ପୋରାରୀ ରିଲିଜ୍) ଆକ୍ଟ, ୨୦୨୨ ଅନୁସାରେ ଯୋଗ୍ୟ କଏଦୀମାନଙ୍କୁ ଏକ ବର୍ଷରେ ସର୍ବାଧିକ ୭୦ ଦିନ ପାରୋଲ୍ ଓ ୨୧ ଦିନ ଫରଲୋ ମିଳିପାରେ। ତେବେ ଏହା ଅଧିକାର ଭାବେ ସ୍ୱୟଂଚାଳିତ ନୁହେଁ, ନିର୍ଦ୍ଦିଷ୍ଟ ଶର୍ତ୍ତ ଓ ଅନୁମୋଦନ ଆବଶ୍ୟକ।

Leave A Reply

Your email address will not be published.