Latest Odisha News

BREAKING NEWS

Kriti Sanon’s ad: କ୍ରିତି ସାନନଙ୍କ ରକ୍ଷାବନ୍ଧନ ପୋଷାକକୁ ନେଇ ବିବାଦ, ତୀବ୍ର ବିରୋଧ ପରେ ବିଜ୍ଞାପନ ହଟାଇଲା GIVA

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନଙ୍କ ରକ୍ଷାବନ୍ଧନ ବିଜ୍ଞାପନକୁ ନେଇ ବିବାଦ ତୀବ୍ର ହୋଇଛି। ଅଳଙ୍କାର ବ୍ରାଣ୍ଡ GIVA ପକ୍ଷରୁ ରକ୍ଷାବନ୍ଧନ ଅବସରରେ ଜାରି କରାଯାଇଥିବା ଏକ ବିଜ୍ଞାପନରେ କ୍ରିତି ସାନନଙ୍କ ପୋଷାକକୁ ନେଇ ସୋସିଆଲ ମିଡିଆରେ ଆପତ୍ତି ଉଠିବା ପରେ କମ୍ପାନୀ ଶେଷରେ ବିଜ୍ଞାପନଟିକୁ ସମସ୍ତ ମାଧ୍ୟମରୁ ହଟାଇ ଦେଇଛି।

ରକ୍ଷାବନ୍ଧନ ଭଳି ପାରମ୍ପରିକ ପର୍ବର ବିଜ୍ଞାପନରେ କୃତିଙ୍କ ପୋଷାକ ଉପଯୁକ୍ତ ନୁହେଁ ବୋଲି ସୋସିଆଲ ମିଡିଆର କିଛି ୟୁଜର୍ସ ଆପତ୍ତି ଉଠାଇଥିଲେ। ବିବାଦ ବଢ଼ିବା ସହ ଅନେକ ଲୋକ ବିଜ୍ଞାପନକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଜ୍ଞାପନରେ କ୍ରିତି ସାନନ ରକ୍ଷାବନ୍ଧନ ପର୍ବ ପାଳନ କରୁଥିବା ଦେଖାଯାଇଥିଲା। ଯେଉଁଥିରେ ସେ ନିଜର ପେଟ୍ ବା ପୋଷା ଜୀବଙ୍କ ପାଇଁ GIVAର ଆସିଥିବା ନୂଆ କଲେକ୍ସନକୁ ପ୍ରମୋଟ୍ କରିଥିଲେ ।  ଯେଉଁଥିରେ ସେ ଏକ ବ୍ରାଲେଟ୍ ଶୈଳୀର ବ୍ଲାଉଜ୍, ଡ୍ରେପ୍ଡ୍ ସ୍କର୍ଟ ଏବଂ କେପ୍ ପିନ୍ଧିଥିଲେ। ବିଜ୍ଞାପନ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆର କିଛି ୟୁଜର୍ସ ଏହି ପୋଷାକକୁ ନେଇ ଆପତ୍ତି ଉଠାଇଥିଲେ। ରକ୍ଷାବନ୍ଧନ ଏକ ପାରମ୍ପରିକ ଓ ପବିତ୍ର ପର୍ବ ହୋଇଥିବାରୁ ଏଭଳି ପୋଷାକ ପରିବର୍ତ୍ତେ ଅଧିକ ପାରମ୍ପରିକ ଓ ଶାଳୀନ ପୋଷାକ ବ୍ୟବହାର କରାଯିବା ଉଚିତ ଥିଲା ବୋଲି ଅନେକ ମତ ଦେଇଥିଲେ।

ଏହି ବିବାଦ ଆହୁରି ତୀବ୍ର ହୋଇଥିଲା ଯେତେବେଳେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ମଧ୍ୟ ଏହି ମାମଲାରେ ମତ ରଖିଥିଲେ। କଙ୍ଗନା କ୍ରିତିଙ୍କ ପୋଷାକକୁ ନେଇ ଆପତ୍ତି ଜଣାଇବା ସହ ରାଖୀ ଭଳି ପବିତ୍ର ଅବସରରେ ତାଙ୍କ ପୋଷାକକୁ ‘ବିକିନି’ ସହ ତୁଳନା କରିଥିଲେ। ଏହା ପରେ ଦୁଇ ଅଭିନେତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆହୁରି ଜୋରଦାର ହୋଇଥିଲା।

ତେବେ କ୍ରିତି ସାନନ ମଧ୍ୟ ନିଜ ପୋଷାକକୁ ସମର୍ଥନ କରି ଆଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଇଥିଲେ। କ୍ରିତି ସାନନ ଏହି ବିବାଦ ଉପରେ ନିଜ ପକ୍ଷ ରଖି କହିଥିଲେ ଯେ, ପର୍ବପର୍ବାଣୀ କେବଳ ପୋଷାକ ଦ୍ୱାରା ପରିଭାଷିତ ହୁଏ ନାହିଁ, ବରଂ ଏହା ସହ ଜଡ଼ିତ ଭାବନା ଓ ପରମ୍ପରା ହିଁ ଏହାର ପ୍ରକୃତ ଅର୍ଥକୁ ପ୍ରକାଶ କରେ। ଆଲୋଚନାର ଜବାବ ଦେଇ କ୍ରିତି କହିଥିଲେ, “ପର୍ବର ମୂଳ ସାର ଆପଣ କ’ଣ ପିନ୍ଧିଛନ୍ତି ସେଥିରେ ନାହିଁ, ବରଂ ପରମ୍ପରା ପ୍ରତି ଆପଣଙ୍କ ଭାବନା ଓ ତାହାର ଅର୍ଥରେ ରହିଛି। ରକ୍ଷାବନ୍ଧନ ହେଉଛି ପରସ୍ପର ସୁରକ୍ଷାର ଏକ ବନ୍ଧନ। ମୁଁ ଏବଂ ମୋ ଭଉଣୀ ପରସ୍ପରକୁ ରାକ୍ଷୀ ବାନ୍ଧୁ।” କ୍ରିତି ଆହୁରି କହିଥିଲେ ଯେ, ତାଙ୍କ ପରିବାରରେ ରକ୍ଷାବନ୍ଧନର ଅର୍ଥ କେବଳ ଭାଇ-ଭଉଣୀଙ୍କ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ। ପରସ୍ପରର ଯତ୍ନ ନେବା ଓ ସୁରକ୍ଷା ଦେବାର ଏହି ବନ୍ଧନ ଉଭୟଙ୍କ ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ, “ଆମେ ଜାଣୁ ଯେ ଜଣେ ଭାଇ ଯେତିକି ଆମକୁ ସୁରକ୍ଷା ଦେଇପାରିବ, ଆମେ ମଧ୍ୟ ପରସ୍ପରକୁ ସେତିକି ସୁରକ୍ଷା ଦେଇପାରିବୁ। ଆମେ ପରସ୍ପରର ସ୍ୱାସ୍ଥ୍ୟ, ଖୁସି ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁ।” କ୍ରିତି ଏହା ମଧ୍ୟ କହିଥିଲେ ଯେ, ତାଙ୍କ ପରିବାରରେ ଏହି ପ୍ରାର୍ଥନା ଓ ଭଲପାଇବାର ବନ୍ଧନ ସେମାନଙ୍କ ପୋଷା କୁକୁରମାନଙ୍କ ପାଇଁ ମଧ୍ୟ ରହିଛି। ଶେଷରେ ସେମାନେ ମଧ୍ୟ ଆମ ପରିବାରର ସଦସ୍ୟ।”

ଆଉ ଲେଖା ଶେଷରେ କ୍ରିତି ସମାଜକୁ ଏକ ବଡ ପ୍ରଶ୍ନ କରିଥିଲେ, “ଆଉ, ଆମେ କେବେ ମହିଳାମାନଙ୍କୁ କ’ଣ ପିନ୍ଧିବା ଉଚିତ ବୋଲି କହିବା ବନ୍ଦ କରିବୁ? କ୍ରିତି କହିଥିଲେ ବର୍ଷ ବର୍ଷ ଧରି ପାରମ୍ପରିକ ପୋଷାକର ଧାରା ବଦଳିଛି ଓ ବିକଶିତ ହୋଇଛି। ତଥାପି ଜଣେ ମହିଳାଙ୍କ ନିଜ ସଂସ୍କୃତି ପ୍ରତି ସମ୍ମାନକୁ ଆଜି ବି କେବଳ ତାଙ୍କ ପୋଷାକ ଦେଖି ମାପିବାକୁ ଚେଷ୍ଟା କରାଯାଉଛି! ସଂସ୍କୃତି ଓ ପରମ୍ପରା ଜଣେ ମହିଳାଙ୍କ ହୃଦୟରେ ଥାଏ, ତାଙ୍କ ପୋଷାକର ନେକ୍ ଲାଇନ୍ କେଉଁ ପର୍ଯ୍ୟନ୍ତ ଅଛି ସେଥିରେ ନୁହେଁ!” ବୋଲି କ୍ରିତି ମତ ରଖିଛନ୍ତି ।

ଏହି ବିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ସେ କ୍ରିତି ସାନନଙ୍କ ସମର୍ଥନରେ କହିଥିଲେ ଯେ, ମହିଳାମାନେ କ’ଣ ପିନ୍ଧିବେ ଏବଂ କ’ଣ ପିନ୍ଧିବେ ନାହିଁ, ତାହା ନିଜେ ନିଷ୍ପତ୍ତି ନେବାର ଅଧିକାର ରଖନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ମତ ପରେ ମଧ୍ୟ ସୋସିଆଲ ମିଡିଆରେ ଏହି ବିବାଦ ଥମିନଥିଲା। ବରଂ ବିଜ୍ଞାପନକୁ ନେଇ ଆଲୋଚନା ଆହୁରି ତୀବ୍ର ହୋଇଥିଲା।

ବିବାଦ ବଢ଼ିବା ପରେ ଅଳଙ୍କାର ବ୍ରାଣ୍ଡ GIVA ନିଜର ଅଧିକାରିକ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ବିବୃତ୍ତି ଜାରି କରି ସ୍ପଷ୍ଟୀକରଣ ଦେଇଥିଲା। କମ୍ପାନୀ କହିଥିଲା ଯେ, ରକ୍ଷାବନ୍ଧନର ପ୍ରେମ ଓ ଉତ୍ସବକୁ ପରିବାରର ପୋଷା ପଶୁମାନଙ୍କ ପର୍ଯ୍ୟନ୍ତ ବଢ଼ାଇବା ଉଦ୍ଦେଶ୍ୟରେ ଏହି ବିଜ୍ଞାପନ ଅଭିଯାନ ପ୍ରସ୍ତୁତ କରାଯାଇଥିଲା। କୌଣସି ବ୍ୟକ୍ତି କିମ୍ବା ସମାଜର କୌଣସି ବର୍ଗର ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ଆଘାତ କରିବା କମ୍ପାନୀର ଉଦ୍ଦେଶ୍ୟ ନଥିଲା ବୋଲି GIVA ସ୍ପଷ୍ଟ କରିଥିଲା। କମ୍ପାନୀ ଭାରତୀୟ ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ ପ୍ରତି ନିଜର ସମ୍ମାନ ଓ ପ୍ରତିବଦ୍ଧତା ବିଷୟରେ ମଧ୍ୟ କହିଥିଲା।

GIVA କହିଥିଲା ଯେ, ଯଦି ଅଜାଣତରେ ଏହି ବିଜ୍ଞାପନ ଯୋଗୁଁ ସମାଜର କୌଣସି ବର୍ଗର ଭାବନା ଆଘାତପ୍ରାପ୍ତ ହୋଇଥାଏ, ତେବେ ତାହାକୁ କମ୍ପାନୀ ସମ୍ମାନ କରୁଛି। ଏହା ପରେ ବ୍ରାଣ୍ଡ ପକ୍ଷରୁ ବିଜ୍ଞାପନଟିକୁ ସମସ୍ତ ମାଧ୍ୟମରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।

Leave A Reply

Your email address will not be published.