Latest Odisha News

BREAKING NEWS

ବାଇକ୍ ଓ କାର୍ ଚାଳକ ସାବଧାନ! ଏଣିକି ସହରରେ ବିନା କାରଣରେ ହାଇ ବିମ୍ ଲାଇଟ୍ ବ୍ୟବହାର କଲେ ବାଜିବ ସାଇରନ୍

ନୂଆଦିଲ୍ଲୀ: ରାତିରେ ଗାଡ଼ି ଚଳାଇବା ବେଳେ ବିପରୀତ ଦିଗରୁ ଆସୁଥିବା ଗାଡ଼ିର ହାଇ ବିମ୍ ଯୋଗୁଁ ଅନେକ ସମୟରେ ଆଖି ଝଲସି ଯାଏ, ଯାହାକି ଏକାଧିକ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତି ଚଳାଇଛି । ସବୁକିଛି ଠିକ୍ ରହିଲେ ଏପ୍ରିଲ୍ ୨୦୨୭ରୁ ସମଗ୍ର ଦେଶରେ ଗାଡ଼ି ହେଡ୍‌ଲାଇଟ୍ ସମ୍ବନ୍ଧୀୟ ଏହି ନୂଆ ନିୟମ ଲାଗୁ ହେବ ।

ଏହି ନୂଆ ପ୍ରସ୍ତାବ ଅନୁଯାୟୀ, ଗାଡ଼ିଗୁଡ଼ିକରେ ଏକ ଅତ୍ୟାଧୁନିକ ‘ଅଡିଓ ୱାର୍ଣ୍ଣିଂ’ ବା ଆଲାର୍ମ ସିଷ୍ଟମ୍ ଲଗାଯିବ। ଯଦି କୌଣସି ଚାଳକ ଘଣ୍ଟାପ୍ରତି ୬୦ କିଲୋମିଟରରୁ କମ୍ ବେଗରେ (ଯେପରିକି ସହରାଞ୍ଚଳ କିମ୍ବା ଗହଳି ରାସ୍ତାରେ) ଗାଡ଼ି ଚଳାଉଥିବା ବେଳେ ନିଜ ହେଡ୍‌ଲାଇଟ୍‌କୁ ‘ହାଇ ବିମ୍’ କରନ୍ତି, ତେବେ ତୁରନ୍ତ ଏକ ଆଲାର୍ମ ବାଜିବ । ଏହାଦ୍ୱାରା ଚାଳକ ସତର୍କ ହୋଇ ଲାଇଟ୍‌କୁ ‘ଲୋ ବିମ୍’ କରିପାରିବେ । ତେବେ ୬୦ କିମିରୁ ଅଧିକ ବେଗରେ ହାଇୱେରେ ଗାଡ଼ି ଚଳାଇଲେ ଏହି ଆଲାର୍ମ ବାଜିବ ନାହିଁ, କାରଣ ସେଠାରେ ରାସ୍ତା ଦେଖିବା ପାଇଁ ଅଧିକ ଆଲୋକର ଆବଶ୍ୟକତା ପଡିଥାଏ ।

ନୂତନ ନିୟମରେ ଦୁଇଚକିଆ ଯାନ ପାଇଁ ମଧ୍ୟ କଡ଼ା ବ୍ୟବସ୍ଥା କରାଯାଇଛି । ଆଗକୁ ନିର୍ମାଣ ହେବାକୁ ଥିବା ନୂଆ ବାଇକ୍ ଓ ସ୍କୁଟରରେ ଥିବା ଅଟୋମେଟିକ୍ ହେଡ୍‌ଲ୍ୟାମ୍ପ୍ ଅନ୍ ସିଷ୍ଟମ୍ ଡିଫଲ୍ଟ ଭାବେ କେବଳ ‘ଲୋ ବିମ୍’ରେ ହିଁ କାମ କରିବ। ଅଯଥାରେ ହାଇ ବିମ୍ ବ୍ୟବହାର କମାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ପୁରୁଣା ଯାନଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଏଥିସହ ସରକାର ହେଡ୍‌ଲାଇଟ୍‌ର ସର୍ବାଧିକ ତୀବ୍ରତାକୁ ପ୍ରାୟ ୩୩ ପ୍ରତିଶତ ପର୍ଯ୍ୟନ୍ତ କମାଇବାକୁ ଯାଉଛନ୍ତି। ଦୁଇଚକିଆ ଯାନ ପାଇଁ ଏହାକୁ ୧.୫ ଲକ୍ଷ କ୍ୟାଣ୍ଡେଲାରୁ ୧ ଲକ୍ଷ କ୍ୟାଣ୍ଡେଲା ଏବଂ କାର୍ ଆଦି ଚାରିଚକିଆ ଯାନ ପାଇଁ ୨.୨୫ ଲକ୍ଷରୁ ୧.୫ ଲକ୍ଷ କ୍ୟାଣ୍ଡେଲାକୁ କମାଇବାକୁ ପ୍ରସ୍ତାବ ଦିଆଯାଇଛି। ଆଖି ଉପରେ ପଡ଼ୁଥିବା ନୀଳ-ଧଳା ଆଲୋକର ଚକାଚୌନ୍ଧକୁ ରୋକିବା ପାଇଁ ହେଡ୍‌ଲାଇଟ୍‌ର କଲର୍ ଟେମ୍ପରେଚର ସର୍ବାଧିକ ୬,୫୦୦ କେଲଭିନ୍ ମଧ୍ୟରେ ସୀମିତ ରହିବ ।

ଏହାବ୍ୟତୀତ, ରାତିରେ ଏବଂ ଖରାପ ପାଗରେ ବଡ଼ ଯାନଗୁଡ଼ିକୁ ଦୂରରୁ ସହଜରେ ଚିହ୍ନିବା ପାଇଁ ବସ୍ ଓ ଟ୍ରକ୍ ଭଳି ଭାରୀ ଯାନରେ ରିଫ୍ଲେକ୍ଟିଭ୍ ସେଫ୍ଟି ଟେପ୍ ଲଗାଇବା ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନ ଏହି ପ୍ରସ୍ତାବ ଉପରେ ଜନସାଧାରଣଙ୍କଠାରୁ ୩୦ ଦିନ ଭିତରେ ମତାମତ ଲୋଡାଯାଇଛି ।

ସୂଚନାଯୋଗ୍ୟ, ସହରରେ ବିନା କାରଣରେ ହାଇ ବିମ୍ ବ୍ୟବହାର କଲେ ଟ୍ରାଫିକ୍ ପୋଲିସ ଦ୍ୱାରା ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାର ନିୟମ ରହିଛି।

Leave A Reply

Your email address will not be published.