ନୂଆଦିଲ୍ଲୀ: ଆଜିକାଲି ପକେଟରେ ପର୍ସ ନରଖିଲେ ମଧ୍ୟ ଲୋକେ କେବଳ ସ୍ମାର୍ଟଫୋନ୍ ସାହାଯ୍ୟରେ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଛନ୍ତି। ଦୋକାନରେ ଥିବା କ୍ୟୁଆର୍ କୋଡ୍ ସ୍କାନ୍ କରିବା କ୍ଷଣି ମାତ୍ର କିଛି ସେକେଣ୍ଡରେ ଆପଣଙ୍କ ବ୍ୟାଙ୍କ ଖାତାରୁ ଦୋକାନୀଙ୍କ ଖାତାକୁ ଟଙ୍କା ପଳାଉଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଏହି ବ୍ୟବସ୍ଥା କିପରି କାମ କରେ? ଏହା ପଛରେ କୌଣସି ଯାଦୁ ନୁହେଁ, ବରଂ ଏକ ବିଶାଳ ଇକୋସିଷ୍ଟମ୍ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି ।
କ୍ୟୁଆର୍ କୋଡ୍ ହେଉଛି ଏକ ଡିଜିଟାଲ୍ କୋଡ୍, ଯେଉଁଥିରେ ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ନାମ, ଫୋନ୍ ନମ୍ବର ଏବଂ ୟୁପିଆଇ ଆଇଡି ଲୁଚି ରହିଥାଏ। ଅନ୍ୟପଟେ ୟୁପିଆଇ ଆଇଡି ଏକ ଭର୍ଚୁଆଲ୍ ପେମେଣ୍ଟ ଠିକଣା। ବ୍ୟାଙ୍କ ଆକାଉଣ୍ଟ ନମ୍ବର ମନେ ନରଖି ଏହି ଆଇଡି ମାଧ୍ୟମରେ ସୁରକ୍ଷିତ ନେଣଦେଣ କରାଯାଇଥାଏ । ଫୋନ୍ ପେ, ଗୁଗଲ ପେ କିମ୍ବା ପେଟିଏମ୍ ଭଳି ଆପ୍ ଗୁଡ଼ିକ କେବଳ ଏକ ମାଧ୍ୟମ ଭାବେ କାମ କରନ୍ତି । ପ୍ରକୃତରେ ଟଙ୍କା ଆପଣଙ୍କ ମୋବାଇଲ୍ ଆପରେ ନୁହେଁ, ବରଂ ବ୍ୟାଙ୍କ ଆକାଉଣ୍ଟରେ ଥାଏ ଏବଂ ସେଠାରୁ ହିଁ କଟିଥାଏ ।
ଯେତେବେଳେ ଆପଣ କ୍ୟୁଆର୍ କୋଡ୍ ସ୍କାନ୍ କରି ପିନ୍ ଦିଅନ୍ତି, ପେମେଣ୍ଟ ଆପ୍ ଏହି ତଥ୍ୟକୁ ଏନକ୍ରିପ୍ଟ କରି ଆପଣଙ୍କ ବ୍ୟାଙ୍କ ଏବଂ ଏନପିସିଆଇକୁ ପଠାଇଥାଏ। ଏନପିସିଆଇ ଏଠାରେ ଏକ ଟ୍ରାଫିକ୍ କଣ୍ଟ୍ରୋଲର ଭଳି କାମ କରେ। ଆପଣଙ୍କ ବ୍ୟାଙ୍କ ଖାତାରେ ଯଥେଷ୍ଟ ବାଲାନ୍ସ ଅଛି କି ନାହିଁ ଏବଂ ପିନ୍ ସଠିକ୍ ଅଛି କି ନାହିଁ, ତାହା ଯାଞ୍ଚ କରିବା ପରେ ଏନପିସିଆଇ ଗ୍ରହଣକାରୀ ବ୍ୟାଙ୍କକୁ ମେସେଜ୍ ପଠାଏ। ଏହି ସମଗ୍ର ପ୍ରକ୍ରିୟା ଡିଜିଟାଲ୍ ଲେଜର୍ ଏଣ୍ଟ୍ରି ମାଧ୍ୟମରେ ମାତ୍ର କିଛି ସେକେଣ୍ଡରେ ପୂରା ହୋଇଯାଏ।
ଗ୍ରାହକଙ୍କ ପାଇଁ ୟୁପିଆଇ ସମ୍ପୂର୍ଣ୍ଣ ମାଗଣା, କାରଣ ଏଥିରେ କୌଣସି ଟ୍ରାଞ୍ଜାକ୍ସନ ଚାର୍ଜ ବା ଶୂନ୍ୟ ଏମଡିଆର ଲାଗୁ ହୁଏ। କିନ୍ତୁ ଆରବିଆଇର ତଥ୍ୟ ଅନୁସାରେ, ୧୦୦ ଟଙ୍କାର ୟୁପିଆଇ ନେଣଦେଣ ପାଇଁ ଭିତ୍ତିଭୂମି ବାବଦକୁ ୨୫ ପଇସା ଖର୍ଚ୍ଚ ହୋଇଥାଏ, ଯାହାକୁ ବ୍ୟାଙ୍କ ଏବଂ ଏନପିସିଆଇ ବହନ କରନ୍ତି। ତେବେ ପେମେଣ୍ଟ ଆପ୍ ଗୁଡ଼ିକ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ, ସାଉଣ୍ଡବକ୍ସ ଭଡ଼ା, ଋଣ ପ୍ରଦାନ, ବୀମା ଏବଂ ଅନ୍ୟାନ୍ୟ ସଫ୍ଟୱେର ସେବା ଯୋଗାଇ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।
ସାଧାରଣତଃ ୟୁପିଆଇ ମାଧ୍ୟମରେ ଦୈନିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିହେବ, କିନ୍ତୁ ଡାକ୍ତରଖାନା କିମ୍ବା ଶିକ୍ଷାନୁଷ୍ଠାନ ଫି’ ଭଳି ସ୍ୱତନ୍ତ୍ର କ୍ଷେତ୍ରରେ ଏହି ସୀମାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଶେଷଜ୍ଞଙ୍କ ମତରେ, ଯଦି କେବେ କୌଣସି କାରଣରୁ ପେମେଣ୍ଟ ଫେଲ୍ ହୁଏ ଓ ଖାତାରୁ ଟଙ୍କା କଟିଯାଏ, ତେବେ ବ୍ୟସ୍ତ ନହୋଇ ୨୪ ରୁ ୪୮ ଘଣ୍ଟା ଅପେକ୍ଷା କରିବା ଉଚିତ୍, କାରଣ ଟଙ୍କା ଆପଣଙ୍କ ଖାତାକୁ ସ୍ୱତଃ ଫେରିଆସିବାର ବ୍ୟବସ୍ଥା ଏଥିରେ ରହିଛି ।

