କାଠମାଣ୍ଡୁ: ତିବ୍ବତ ପଟୁ ଅଚାନକ ମାଡ଼ି ଆସିଥିବା ବନ୍ୟା ଯୋଗୁଁ ନେପାଳର ଉତ୍ତରାଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ତୁଳନାରେ ପଡ଼ୋଶୀ ଚୀନର ଖାମଖିଆଲି ଓ ବେପରୁଆ ମନୋଭାବ ଏବେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ରିପୋର୍ଟ ଅନୁଯାୟୀ, ବନ୍ୟା ଆସିବା ନେଇ ଚୀନ୍ ପାଖରେ ଆଗୁଆ ସୂଚନା ଥିଲା, କିନ୍ତୁ ନେପାଳକୁ ସମୟାନୁସାରେ ସତର୍କ କରାଇବାରେ ବେଜିଂ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳରେ ନେପାଳର ରସୁୱା ଜିଲ୍ଲାରେ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି, ଯେଉଁଥିରେ ୧୦୫ ଜଣ ଭାରତୀୟ ପର୍ଯ୍ୟଟକ ମଧ୍ୟ ରହିଛନ୍ତି ।
ସୂଚନା ଅନୁସାରେ, ତିବ୍ବତର କେରୁଙ୍ଗ ଅଞ୍ଚଳରେ ଭୂସ୍ଖଳନ କାରଣରୁ ନଦୀର ଗତିପଥ ଅବରୋଧ ହୋଇ ଏକ ବିଶାଳ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା। ଚୀନ୍ ସମୟ ସକାଳ ୧୦:୩୦ (ନେପାଳ ସମୟ ସକାଳ ୮:୧୫) ରେ ସେଠାରେ ହଠାତ୍ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଚୀନ୍ ଏ ସମ୍ପର୍କରେ ନେପାଳକୁ ତୁରନ୍ତ କୌଣସି ସୂଚନା ଦେଇନଥିଲା। ପ୍ରାୟ ୪୫ ମିନିଟ୍ ବିଳମ୍ବରେ, ସ୍ଥାନୀୟ ଲୋକେ ଭୋଟେକୋଶୀ ନଦୀର ଜଳସ୍ତର ହଠାତ୍ ବଢୁଥିବା ଦେଖି ପ୍ରଶାସନକୁ ଖବର ଦେଇଥିଲେ। ଚୀନ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ଅପରାହ୍ନ ୧:୩୫ ମିନିଟରେ ନେପାଳର ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ସୂଚନା ଦିଆଯାଇଥିଲା । ଯଦି ସମୟ ଥାଉ ଥାଉ ଚୀନ୍ ଆଲର୍ଟ କରିଥାନ୍ତା, ତେବେ ବହୁ ଲୋକଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା ବୋଲି ନେପାଳ ପ୍ରଶାସନର ଅଧିକାରୀମାନେ ଅଭିଯୋଗ କରିଛନ୍ତି ।
ସମୟାନୁଯାୟୀ ସୂଚନା ନ ମିଳିବା କାରଣରୁ ନେପାଳର ଟିମୁରେ ଏବଂ ସ୍ୟାବ୍ରୁବେସି ଭଳି ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନକୁ ସୁଯୋଗ ମିଳିନଥିଲା। ବନ୍ୟାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ନେପାଳ ଓ ଚୀନ୍କୁ ସଂଯୋଗ କରୁଥିବା ମୁଖ୍ୟ ‘ଫ୍ରେଣ୍ଡସିପ୍ ବ୍ରିଜ୍’ ସମେତ ଅନେକ କଂକ୍ରିଟ୍ ପୋଲ ସମ୍ପୂର୍ଣ୍ଣ ଧୋଇଯାଇଛି । ଏହା ବ୍ୟତୀତ ନୁୱାକୋଟରୁ ରସୁୱାଗଢ଼ି ସୀମାକୁ ଯୋଡ଼ୁଥିବା ପ୍ରାୟ ୪୨ କିଲୋମିଟର ଲମ୍ବର ରାଜପଥ ମଧ୍ୟ ବନ୍ୟା ଜଳରେ ନିଶ୍ଚିହ୍ନ ହୋଇଯାଇଛି। ସୀମାନ୍ତରେ ଥିବା କଷ୍ଟମ ଅଫିସ୍ ଓ ଚାଇନିଜ୍ ସାମଗ୍ରୀ ବୋଝେଇ ହୋଇଥିବା ଅନେକ କଣ୍ଟେନର ପାଣିରେ ଭାସିଯାଇଛି, ଯାହା ଫଳରେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ଓ ବାଣିଜ୍ୟିକ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ।
ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଗତବର୍ଷ ମଧ୍ୟ ସମାନ ନଦୀରେ ଏକ ହିମବାହ ହ୍ରଦ (ଗ୍ଲେସିୟର୍ ଲେକ୍) ଫାଟି ବନ୍ୟା ଆସିଥିବା ସମୟରେ ଚୀନ୍ ନେପାଳକୁ ଆଗୁଆ ସୂଚନା ଦେବାରେ ଅବହେଳା କରିଥିଲା । ବାରମ୍ବାର ଏଭଳି ଘଟଣା ସୀମାନ୍ତ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଚୀନର ଦାୟିତ୍ୱହୀନତାକୁ ଦର୍ଶାଉଛି । ବର୍ତ୍ତମାନ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ବିପଦ ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ହାଇ ଆଲର୍ଟରେ ରହିବାକୁ ପରାମର୍ଶ ଦିଆଯାଇଛି ।

