କାଲିମେଳା: କାଲିମେଳା ପୋଲିସ ଜଙ୍ଗଲ ଭିତରୁ ୧୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି । ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଭିନୋଦ୍ ପାଟିଲ୍ ଏଚ୍. ବୁଧବାାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଏହି ଗଞ୍ଜେଇକୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି ।
ସୂଚନାମୁତାବକ, କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ଏମଭି-୭୩ ଗାଁ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ କାଲିମେଳା ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଚଢ଼ାଉ ସମୟରେ ଜଙ୍ଗଲ ଭିତରୁ ପୋଲିସ ୧୦୨୫ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଏସପି କହିଛନ୍ତି ।
ଗତ ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ବହୁ ପରିମାଣର ଗଞ୍ଜେଇ ଜବତ କରି ଅନେକ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚିତ୍ରକୋଣ୍ଡା, ସ୍ୱାଭିମାନ ଅଞ୍ଚଳର ଜାନବାଇ, ଯୋଡ଼ାଆମ୍ବ, ଜନ୍ତ୍ରୀ ଓ ପାପର ମେଟଲା ଅଞ୍ଚଳରେ ଚୋରା ଚାଲାଣ ରୋକିବାକୁ ପୋଲିସ ସଜାଗ ରହିଛି ବୋଲି ଏସପି ଭିନୋଦ୍ ପାଟିଲ୍ ଏଚ୍. କହିଛନ୍ତି ।

