Latest Odisha News

BREAKING NEWS

Drug Inspector Exam: ପ୍ରେମ ପାଇଁ ଧରାପଡିଗଲା ପେପର ଲିକ୍! ବ୍ରେକଅପ୍ ପରେ ସବୁ ଗୁମର ଖୋଲିଲେ ବୟଫ୍ରେଣ୍ଡ୍

ମୁମ୍ବାଇ: ପ୍ରେମ ପାଇଁ କରାଇଥିଲେ ପେପର ଲିକ୍! ମହାରାଷ୍ଟ୍ରର ଏକ ସରକାରୀ ନିଯୁକ୍ତି ପରୀକ୍ଷାର ପେପର ଲିକ୍‌ ଅଭିଯୋଗ ପଛରେ ଏକ ଅଜବ କାରଣ ସାମ୍ନାକୁ ଆସିଛି । ପ୍ରେମ ସମ୍ପର୍କରେ ତିକ୍ତତା ପରେ ସବୁ ଗୁମର ଖୋଲିଛନ୍ତି ନିଜେ ବୟଫ୍ରେଣ୍ଡ୍ । ପ୍ରେମ ସମ୍ପର୍କରୁ ଆରମ୍ଭ ହୋଇଥିବା ଘଟଣା ଏବେ ମହାରାଷ୍ଟ୍ରର ଡ୍ରଗ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ପେପର ଲିକ୍‌ର ବଡ଼ ମାମଲାର ରୂପ ନେଇଛି। ମହାରାଷ୍ଟ୍ର ପବ୍ଲିକ୍ ସର୍ଭିସ୍ କମିଶନ୍‌ (MPSC) ପକ୍ଷରୁ ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଅଧୀନ ଡ୍ରଗ୍ ଇନ୍ସପେକ୍ଟର ପଦ ପାଇଁ ମାର୍ଚ୍ଚ ୨୨ରେ ସ୍କ୍ରିନିଂ ପରୀକ୍ଷା ହୋଇଥିଲା। ପରେ ପେପର ଲିକ୍ ଅଭିଯୋଗ ସାମ୍ନାକୁ ଆସିବାରୁ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ବାତିଲ କରିଛି MPSC। ମାମଲାରେ ଏପର୍ଯ୍ୟନ୍ତ ୬ ଜଣ ଗିରଫ ହୋଇଥିବାବେଳେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଜାରି ରଖିଛି।

କ୍ରାଇମବ୍ରାଞ୍ଚ ଅନୁଯାୟୀ, ଅଭିଯୁକ୍ତ ଲୋକେଶ ଓରଫ୍ ଗୌରବ ପାଟିଲଙ୍କର ଋତୁଜା ପାଟିଲ ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଋତୁଜାଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇବା ପାଇଁ ଋତୁଜାଙ୍କ ବାପା ପ୍ରଶ୍ନପତ୍ର ହାସଲ କରିଥିଲେ। ଅଭିଯୋଗ ଅନୁସାରେ, ଋତୁଜାଙ୍କ ବାପା ଅମୃତ ପାଟିଲ ଦଲାଲ ପ୍ରବୀଣ ପାଟିଲଙ୍କ ଜରିଆରେ ପରୀକ୍ଷାର ପ୍ରଶ୍ନପତ୍ର ହାସଲ କରିଥିଲେ। ପ୍ରବୀଣ ଜଣେ MPSC କନିଷ୍ଠ କର୍ମଚାରୀଙ୍କ ସହ ସମ୍ପର୍କ ବ୍ୟବହାର କରି ପେପର ହାସଲ କରିଥିବା ଅଭିଯୋଗ ରହିଛି। ପ୍ରଶ୍ନପତ୍ର ଋତୁଜାଙ୍କ ହାତରେ ପହଞ୍ଚିବା ପରେ ସେ ତାଙ୍କ ପ୍ରେମିକ ଗୌରବଙ୍କୁ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଋତୁଜା ଲିଖିତ ପରୀକ୍ଷାରେ ପାସ୍ କରିବା ସହ ସାକ୍ଷାତକାର ପରେ ମଧ୍ୟ ଯୋଗ୍ୟ ହୋଇଥିଲେ। କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇ ବ୍ରେକ୍‌ଅପ୍ ହୋଇଥିଲା। ଏହା ପରେ ଗୌରବ MPSC ନିକଟରେ ଋତୁଜାଙ୍କ ବିରୋଧରେ ପେପର ଲିକ୍‌ ନେଇ ଅଭିଯୋଗ କରିଥିବା ତଦନ୍ତରେ ସାମ୍ନାକୁ ଆସିଛି। ପରେ କମିଶନ୍ ପକ୍ଷରୁ ମୁମ୍ବାଇ ପୋଲିସକୁ ଜଣାଯାଇଥିଲା ଏବଂ ମାମଲାର ତଦନ୍ତ ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ମାମଲା ଅଧିକ ତେଜିବା ପରେ ଗୌରବ ପୁଣି ଇ-ମେଲ୍ କରି ପ୍ରଶ୍ନପତ୍ର ଲିକ୍ ନେଇ ସେ ଜାଣିଶୁଣି ମିଥ୍ୟା ଦାବି କରିଥିବା କହିଥିଲେ। ଏହି ଭିନ୍ନ ଦାବି ଏବେ ମାମଲା ଆହୁରି ଜଟିଳ ହୋଇଛି। ତାଙ୍କ ଦାବି ଓ ପେପର ଲିକ୍‌ର ବାସ୍ତବତା ଉଭୟ ଦିଗରୁ ତଦନ୍ତ କରାଯାଉଛି। ତଦନ୍ତକାରୀମାନେ ଋତୁଜାଙ୍କର ପରୀକ୍ଷା ପରେ କୋଚିଂ ସଂସ୍ଥାର ଅପରେଟରଙ୍କୁ କରିଥିବା ଏକ ଫୋନ୍ କଲ୍‌କୁ ମଧ୍ୟ ଯାଞ୍ଚ କରୁଛନ୍ତି। ସେହି କଥୋପକଥନରେ ସେ ୭୮ଟି ପ୍ରଶ୍ନ କରିଥିବା ଏବଂ ପ୍ରାୟ ୯୦ଟି ପ୍ରଶ୍ନ ଓ ସେମାନଙ୍କ ବିକଳ୍ପ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସହ ସମାନ ଥିବା ଦାବି କରିଥିବା ସୂଚନା ମିଳିଛି।

ମୁମ୍ବାଇ କ୍ରାଇମବ୍ରାଞ୍ଚ ଗୌରବ ପାଟିଲ, ଅମୃତ ପାଟିଲ ଓ ପ୍ରବୀଣ ପାଟିଲଙ୍କ ସମେତ MPSCର ଅତିରିକ୍ତ ସଚିବ ଅଭିଜିତ ଲେଣ୍ଡୱେ, ସହାୟକ କକ୍ଷ ଅଧିକାରୀ ଗୋପାଳ ମରାଠେ ଏବଂ ବିଶ୍ୱେଶ୍ୱର ନକାତେଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଲାଭାର୍ଥୀ ଭାବେ ଉଠିଥିବା ଋତୁଜାଙ୍କୁ ନୋଟିସ୍ ଜାରି କରାଯାଇଛି। କୋର୍ଟରେ ହାଜର କରାଯିବା ପରେ ଗିରଫ ୬ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହେପାଜତକୁ ନେଇଛି। ପେପର ଲିକ୍‌, ଟଙ୍କା ନେଣଦେଣ, ଅଭିଯୁକ୍ତମାନଙ୍କ ମଧ୍ୟରେ ଯୋଗାଯୋଗ ଏବଂ ପୂରା ନେଟୱର୍କ ସମ୍ପର୍କରେ ପଚରାଉଚରା ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ FIR ମଧ୍ୟ ରୁଜୁ ହୋଇଛି।

ପେପର ଲିକ୍‌ ଅଭିଯୋଗ ପରେ MPSC ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ବାତିଲ୍‌ କରିଛି। ଏବେ ନୂଆ କରି ପରୀକ୍ଷା ହେବ। ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପୁଣି ଆବେଦନ କିମ୍ବା ପରୀକ୍ଷା ଫି’ ଦେବାକୁ ପଡ଼ିବ ନାହିଁ। ନୂଆ ପରୀକ୍ଷାର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

Leave A Reply

Your email address will not be published.