କଟକ: କଟକ-ବାରବାଟୀର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ଦିନରେ କଂଗ୍ରେସ ଛାଡ଼ିବେ ଏବଂ ୨୦୨୯ ବିଧାନସଭା ନିର୍ବାଚନରେ ଏକ ନୂଆ ମଞ୍ଚରୁ ରାଜନୈତିକ ଲଢ଼େଇ ଲଢ଼ିବେ । ଏଭଳି ଏକ ବଡ଼ ରାଜନୈତିକ ଘୋଷଣା କରିଛନ୍ତି ତାଙ୍କ ବାପା ତଥା ସଦ୍ୟ ଗଠିତ ‘ଓଡ଼ିଶା ଜନତା କଂଗ୍ରେସ’ (ଓଜେସି)ର ସଭାପତି ମହମ୍ମଦ ମୋକିମ୍ । ରବିବାର ମୋକିମ୍ଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ କଟକ ସମେତ ସାରା ରାଜ୍ୟର ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି ଏବଂ ଆଗାମୀ ନିର୍ବାଚନ ପାଇଁ ଏକ ନୂଆ ସମୀକରଣର ଆଭାସ ମିଳିଛି ।
ନିଜର ପୂର୍ବତନ ଦଳ କଂଗ୍ରେସ ଉପରେ କଡ଼ା ବର୍ଷିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କଂଗ୍ରେସର କୌଣସି ସ୍ପଷ୍ଟ ନୀତି କିମ୍ବା ଆଦର୍ଶ ବଳକା ନାହିଁ । ଦଳ ଏବେ ସମ୍ପୂର୍ଣ୍ଣ ଭାବେ ‘ଅଯୋଗ୍ୟ’ ହୋଇପଡ଼ିଥିବା ବେଳେ ଏହାର ଭବିଷ୍ୟତ ଆଗକୁ ଅନ୍ଧକାରମୟ ଦେଖାଯାଉଛି । କେନ୍ଦ୍ର ତଥା ରାଜ୍ୟ କଂଗ୍ରେସ ନେତୃତ୍ୱ ନିଜର ମୂଳ ସିଦ୍ଧାନ୍ତରୁ ବିଚ୍ୟୁତ ହୋଇଛନ୍ତି । ଫଳରେ ତୃଣମୂଳ ସ୍ତରର କର୍ମୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ନିରାଶା ଖେଳିଯାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
କଂଗ୍ରେସ ନେତାମାନେ କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ପରସ୍ପରର ଗୋଡ଼ ଟାଣିବାରେ ବ୍ୟସ୍ତ ଅଛନ୍ତି ଏବଂ ରାଜ୍ୟରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହେଉନାହିଁ ବୋଲି ମୋକିମ୍ ସମାଲୋଚନା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସର ଯେଭଳି କୌଣସି ଭବିଷ୍ୟତ ନାହିଁ, ସେହିପରି କଂଗ୍ରେସରେ ସୋଫିଆଙ୍କର ମଧ୍ୟ କୌଣସି ଭବିଷ୍ୟତ ନାହିଁ । ଯଦିଓ ସୋଫିଆ ବର୍ତ୍ତମାନ ଜଣେ କଂଗ୍ରେସ ବିଧାୟିକା ଅଛନ୍ତି ଏବଂ ଆଇନଗତ ଦୃଷ୍ଟିକୋଣରୁ ତୁରନ୍ତ ଓଜେସିରେ ଯୋଗ ଦେଇପାରିବେ ନାହିଁ, ତଥାପି ଆଗାମୀ ୨୦୨୯ ନିର୍ବାଚନରେ ସେ ନିଶ୍ଚିତ ଭାବେ ଓଜେସି ପକ୍ଷରୁ କଟକ-ବାରବାଟୀ ଆସନରୁ ହିଁ ପ୍ରାର୍ଥୀ ହେବେ ବୋଲି ବାପା ମୋକିମ୍ ଦୃଢ଼ତାର ସହ କହିଛନ୍ତି ।
ନୂତନ ଭାବେ ଗଠିତ ଦଳ ‘ଓଜେସି’ର ରୂପରେଖ ସମ୍ପର୍କରେ ସୂଚନା ଦେଇ ସଭାପତି ମୋକିମ୍ କହିଛନ୍ତି ଯେ, ଆଜିର ‘ଜେନ୍-ଜି ‘ ବା ନୂତନ ଯୁବପିଢ଼ିଙ୍କ ପ୍ରତିଭାକୁ ବ୍ୟବହାର କରି ଏକ ନୂଆ ଓଡ଼ିଶା ଗଠନ କରିବା ସେମାନଙ୍କର ମୂଳ ଲକ୍ଷ୍ୟ । ଦଳର ଏହି ଆଗାମୀ ଯୋଜନାରେ ବିଧାୟିକା ସୋଫିଆ ଏକ ପ୍ରମୁଖ ତଥା ନେତୃତ୍ୱଦାୟୀ ଭୂମିକା ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ, ମୋକିମ୍ଙ୍କ ଏହି ବିସ୍ଫୋରକ ବୟାନ ନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟ କଂଗ୍ରେସ ନେତୃତ୍ୱ କିମ୍ବା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ ।

