ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅଞ୍ଚଳରେ ଏବେ ମାରାତ୍ମକ ସ୍କ୍ରବ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି । ବିଶେଷ କରି ସାନବାଗଦରୀ ଗାଁରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ମଧ୍ୟରେ ଏହି ଅଞ୍ଚଳରୁ ମୋଟ ୧୯ ଜଣ ସ୍କ୍ରବ ଟାଇଫସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ହୋଇ ଗାଁର ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ, ବଢ଼ୁଥିବା ସଂକ୍ରମଣ ହାର ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି ।
ସାନବାଗଦରୀ ଗାଁରେ ସଂକ୍ରମଣ ବଢ଼ୁଥିବା ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗାଁରେ ପହଞ୍ଚି ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଗତକାଲି ଗାଁର ସନ୍ଦିଗ୍ଧ ଆକ୍ରାନ୍ତଙ୍କଠାରୁ ମୋଟ ୪୩ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୧୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ଆକ୍ରାନ୍ତମାନଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି ।
ସାଧାରଣତଃ ଜଙ୍ଗଲିଆ ଓ ବୁଦାଳିଆ ଅଞ୍ଚଳରେ କାମ କରୁଥିବା ଚାଷୀ ଏବଂ ଶ୍ରମିକମାନେ ଏହି ରୋଗର ଅଧିକ ଶିକାର ହୋଇଥାନ୍ତି । ଏକ ସ୍ୱତନ୍ତ୍ର ପ୍ରଜାତିର କୀଟ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଅତ୍ୟଧିକ ଜ୍ୱର ହେବା, ମୁଣ୍ଡ ବିନ୍ଧିବା, ଦେହ ହାତ ଘୋଳାବିନ୍ଧା ହେବା ଏବଂ କୀଟ କାମୁଡ଼ିଥିବା ସ୍ଥାନରେ କଳା ଦାଗ ସୃଷ୍ଟି ହେବା ଆଦି ଏହି ରୋଗର ପ୍ରାଥମିକ ଲକ୍ଷଣ । ଠିକ୍ ସମୟରେ ରୋଗ ଚିହ୍ନଟ ହୋଇ ନ ପାରିଲେ ଏହା ଜୀବନନେଷ୍ଟକ ସାବ୍ୟସ୍ତ ହୋଇପାରେ ।

