Latest Odisha News

BREAKING NEWS

ଅମିତ ରୋହୀଦାସ ୨୫୦ ନଟଆଉଟ

ଭୁବନେଶ୍ୱର: ଭାରତର ଷ୍ଟାର ଖେଳାଳି ଅମିତ ରୋହୀଦାସ ଆନ୍ତର୍ଜାତୀୟ ହକି କ୍ୟାରିୟରରେ ୨୫୦ ମ୍ୟାଚ ପୂରଣ କରିଛନ୍ତି । ଓଡିଶାର ଏହି ଖେଳାଳିଙ୍କୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଉଛି । ମହାନ ଖେଳାଳି ଦିଲୀପ ତିର୍କୀ ମଧ୍ୟ ଅମିତଙ୍କୁ ଭାରତୀୟ ରକ୍ଷାପନ୍ଥୀର ମେରୁଦଣ୍ଡ ଭାବେ ବର୍ଣ୍ଣନା କରିଛନ୍ତିି । ପୁରୁଷ ହକି ବିଶ୍ୱକପ୍‌ର ବେଲଜିୟମ୍ ବିପକ୍ଷ ର଼୍ୟାଙ୍କିଂ କ୍ଲାସିଫିକେସନ୍ ମ୍ୟାଚ୍‌ରେ ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ଜର୍ସିରେ ନିଜର ୨୫୦ମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ହାସଲ କରିଛନ୍ତି । ସୁନ୍ଦରଗଡ଼ର ୩୩ ବର୍ଷୀୟ ଡିଫେଣ୍ଡର୍ ଅମିତ ଭାରତୀୟ ଦଳର ଦୁଇଥର ଅଲିମ୍ପିକ୍ସ ପଦକ (ଟୋକିଓ ଏବଂ ପ୍ୟାରିସ୍) ବିଜେତା ଦଳର ସଦସ୍ୟ ଥିଲେ ।

୨୦୧୩ ସୁଲତାନ୍ ଅଜଲାନ୍ ଶାହ କପ୍‌ରୁ ନିଜର ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଅମିତ ଦଳରେ ଫାଷ୍ଟ ରସର୍ (ପେନାଲ୍ଟି କର୍ନର ରକ୍ଷଣାବେକ୍ଷଣ) ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାନ୍ତି । ୨୫୦ଟି ମ୍ୟାଚ୍ ପୂରଣ କରିବା ପରେ ଅମିତ କହିଛନ୍ତି ଯେ ଭାରତୀୟ ଜର୍ସି ପିନ୍ଧିବା ସର୍ବଦା ଗୌରବର ବିଷୟ । ସେ ତାଙ୍କର ସଫଳତା ପାଇଁ ହକି ଇଣ୍ଡିଆ, କୋଚ୍ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୁବ ଖେଳାଳି ରାଜିନ୍ଦର ସିଂ ଭାରତୀୟ ଜାତୀୟ ଦଳ ପାଇଁ ନିଜର ୫୦ମ ଆନ୍ତର୍ଜାତୀୟ ମ୍ୟାଚ୍ ସମ୍ପୂର୍ଣ୍ଣ କରିଛନ୍ତି । ଦିଲ୍ଲୀପ ତିର୍କୀ (ସଭାପତି, ହକି ଇଣ୍ଡିଆ) ଅମିତ ରୋହିଦାସ ଏବଂ ରାଜିନ୍ଦର ସିଂଙ୍କୁ ଶୁଭେଚ୍ଛା ଜଣାଇବା ସହ ଅମିତଙ୍କୁ ଭାରତୀୟ ଡିଫେନ୍ସର ମେରୁଦଣ୍ଡ ଭାବେ ବର୍ଣ୍ଣନା କରିଛନ୍ତି । ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଲା ନାଥ ସିଂ ଦୁଇ ଖେଳାଳିଙ୍କୁ ନିଜର ବ୍ୟକ୍ତିଗତ ମାଇଲଖୁଣ୍ଟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଦେଇଛନ୍ତି । ବେଲଜିୟମ୍ ବିପକ୍ଷ ଶୁଟ୍‌ଆଉଟ୍ ପରାଜୟ ପରେ ଭାରତୀୟ ଦଳ ପୁରୁଷ ହକି ବିଶ୍ୱକପ୍‌ରେ ୮ମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି ।

Leave A Reply

Your email address will not be published.