Prisoner Escapes From Hospital:ଧରାପଡିଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଫେରାର କଏଦୀ;ପରିସ୍ରା ଯିବା ବାହାନାରେ ଚମ୍ପଟ ମାରିଥିଲେ…
ସୁନ୍ଦରଗଡ଼:୨୫ ତାରିଖ ରାତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଫେରାର ହୋଇଥିଲେ ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୩୩) । ଆଜି ଅପରାହ୍ଣରେ ସେ ପୋଲିସ ହାତରେ ଧରା ପଡିଛନ୍ତି । ଆଜି ସଦରଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଛି।
ସୂଚନାଥାଉକି, ନିଜର ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଟେକଚାନ୍ଦଙ୍କୁ ଗତ ଏପ୍ରିଲ ମାସରେ ଗିରଫ କରିଥିଲା ଓ କୋର୍ଟଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେ ବିଚାରାଧୀନ ବନ୍ଦୀ ଭାବେ ଜିଲ୍ଲା କାରାଗାରରେ ରହିଥିଲେ। ଏହପରେ ୨୫ ତାରିଖରେ ସେ ତରଳଝାଡ଼ାରେ ଆକ୍ରାନ୍ତ ହେବାରୁ ଅପରାହ୍ଣରେ ତାଙ୍କୁ କାରଗାରରୁ ଆଣି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାାୟ ୮ଟା ୩୬ରେ ସେ ପରିସ୍ରା କରିବାକୁ ଶୌଚାଳୟକୁ ଯାଉଛି କହି କାରାଗାରର ୨ ଜଣ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ସେଠାରୁ ଫେରାର ହୋଇ ଯାଇଥିଲେ । ଏହାପରେ ପୋଲିସର ସ୍ବତନ୍ତ୍ର ଦଳ ଜିଲ୍ଲା ଓ ଜିଲ୍ଲା ବାହାରକୁ ଯାଇ ଚଢ଼ଉ କରିଥିଲେ। ଡାକ୍ତରଖାନା ସମେତ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା।
ଏପଟେ ଏହି ଘଟଣାରେ କାରଗାର ବରିଷ୍ଠ ଅଧୀକ୍ଷକ ସୁନ୍ଦରଗଡ଼ ଆସି ଘଟଣାର ତଦନ୍ତ କରିବା ପରେ ଜଣେ ୱାର୍ଡର ସୌମ୍ୟରଞ୍ଜନ କରଣଙ୍କୁ ନିଲମ୍ବିତ ଓ ଅନ୍ୟଜଣେ ୱାର୍ଡର ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

