Latest Odisha News

BREAKING NEWS

ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି: ଦ୍ୱିତୀୟ ଭୋଗମଣ୍ଡପ ପରେ ଦର୍ଶନ ଉପରେ କଟକଣା

ପୁରୀ: ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା। ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଏକ ସ୍ୱତନ୍ତ୍ର ତଥା ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେବାକୁ ଯାଉଛି। ଏହି କାରଣରୁ ଆସନ୍ତାକାଲି ଅପରାହ୍ଣରେ ପ୍ରାୟ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ତେଣୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ନିଜର ଦର୍ଶନ ସମୟକୁ ସେହି ଅନୁଯାୟୀ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ସେମାନଙ୍କୁ ଦର୍ଶନ ପାଇଁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆସନ୍ତାକାଲି ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀଜୀଉଙ୍କର ଏହି ଗୁପ୍ତ ନୀତି ଆରମ୍ଭ ହେବ। ବିଶେଷ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର, ବନକଲାଗି କିମ୍ବା ଏଭଳି ଅନ୍ୟ ଗୁପ୍ତ ନୀତି ସମୟରେ ପରମ୍ପରା ଅନୁଯାୟୀ ଗର୍ଭଗୃହକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥାଏ । ଏହି ସମୟରେ ଦତ୍ତ ମହାପାତ୍ର ଓ ନିର୍ଦ୍ଦିଷ୍ଟ ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ପ୍ରଭୁଙ୍କ ନୀତି ସମ୍ପାଦନ କରିଥାନ୍ତି। ଶ୍ରୀମନ୍ଦିର ପ୍ରଶାସନର ଆକଳନ ମୁତାବକ, ଅପରାହ୍ଣ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତି ଚାଲିବାର କାର୍ଯ୍ୟକ୍ରମ ରହିଛି ।

ମହାପ୍ରଭୁଙ୍କର ଏହି ବିଶେଷ ଗୁପ୍ତ ନୀତି ଶେଷ ହେବା ପରେ ବିଧି ଅନୁଯାୟୀ ଠାକୁରଙ୍କ ମହାସ୍ନାନ କରାଯିବ। ଏହାପରେ ପୁଣିଥରେ ସାଧାରଣ ଦର୍ଶନ ଆରମ୍ଭ ହେବ ଏବଂ ଶ୍ରଦ୍ଧାଳୁମାନେ ପୂର୍ବଭଳି ସିଂହଦ୍ୱାର ଦେଇ ପ୍ରବେଶ କରି ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ। ପ୍ରଶାସନ ସ୍ପଷ୍ଟ କରିଛି ଯେ, ଦର୍ଶନ ବନ୍ଦ ଥିଲେ ମଧ୍ୟ ଆନନ୍ଦ ବଜାରରେ ଭକ୍ତମାନେ ପୂର୍ବଭଳି ମହାପ୍ରସାଦ ସେବନ କରିପାରିବେ ।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିର ଆସୁଥିବାରୁ, ଦର୍ଶନ ବନ୍ଦ ସମୟରେ ଯେପରି ସିଂହଦ୍ୱାର ସମ୍ମୁଖରେ କିମ୍ବା ବଡ଼ଦାଣ୍ଡରେ ଅଯଥା ଗହଳି ନହୁଏ, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିରର ଶହ ଶହ ବର୍ଷର ପରମ୍ପରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରଦ୍ଧାଳୁମାନେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବିନୀତ ନିବେଦନ କରିଛି । ଯେଉଁ ଭକ୍ତମାନେ ଆସନ୍ତାକାଲି ଦର୍ଶନ ପାଇଁ ଯୋଜନା କରିଛନ୍ତି, ସେମାନେ ସକାଳୁ ଦ୍ୱିପ୍ରହର ମଧ୍ୟରେ କିମ୍ବା ରାତିରେ ଆସିଲେ ଶାନ୍ତିଶୃଙ୍ଖଳାର ସହ ପ୍ରଭୁଙ୍କ ଦର୍ଶନ ପାଇପାରିବେ ।

Leave A Reply

Your email address will not be published.