ନୂଆଦିଲ୍ଲୀ: ଆମେରିକାର ୨୫୦ତମ ସ୍ୱାଧୀନତା ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଜାରି ହୋଇଛି ଏକ ଖାସ୍ ୧ ଡଲାର କଏନ୍। ଏହି କଏନ୍ର ସବୁଠାରୁ ବଡ଼ ବିଶେଷତା ହେଉଛି, ଏଥିରେ ରହିଛି ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁହଁ। କଏନ୍ଟି ଦେଖିବାକୁ ସୁନା ଭଳି ଲାଗୁଥିବା ‘ଗୋଲ୍ଡ ଫିନିଶ୍’ରେ ପ୍ରସ୍ତୁତ କରାଯାଇଛି।
ଏହାକୁ ନେଇ ସବୁଠାରୁ ବଡ଼ ଚର୍ଚ୍ଚାର କାରଣ ହେଉଛି, ଆମେରିକୀୟ ମୁଦ୍ରାରେ ଜଣେ ଜୀବିତ ରାଷ୍ଟ୍ରପତିଙ୍କ ମୁହଁ ଦେଖିବା ଏକ ବିରଳ ଘଟଣା। ସାଧାରଣତଃ ଆମେରିକାର ମୁଦ୍ରାରେ ମୃତ ରାଷ୍ଟ୍ରପତି କିମ୍ବା ଐତିହାସିକ ବ୍ୟକ୍ତିଙ୍କ ଚିତ୍ର ଦେଖିବାକୁ ମିଳେ। ତେଣୁ ଟ୍ରମ୍ପଙ୍କ ଚିତ୍ର ଥିବା ଏହି କଏନ୍କୁ ନେଇ ଆଇନଗତ ଓ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।
ଆମେରିକାର ‘ୟୁଏସ୍ ମିଣ୍ଟ୍’ ପକ୍ଷରୁ ଏହି କଏନ୍ର ବିକ୍ରି ଆରମ୍ଭ କରାଯାଇଛି। କଏନ୍ର ଗୋଟିଏ ପାର୍ଶ୍ୱରେ ଟ୍ରମ୍ପଙ୍କ ମୁହଁ ରହିଛି। ତାଙ୍କ ଚିତ୍ର ଉପରେ ‘ଲିବର୍ଟି(LIBERTY)’ ଲେଖାଯାଇଛି। ତଳେ ‘1776–2026’ ଲେଖା ରହିଛି, ଯାହା ଆମେରିକାର ୨୫୦ ବର୍ଷର ଇତିହାସକୁ ସୂଚାଉଛି। କଏନ୍ର ଅନ୍ୟ ପାର୍ଶ୍ୱରେ ରହିଛି ଆମେରିକାର ‘ଗ୍ରେଟ୍ ସିଲ୍’। ଏଥିରେ ଏକ ବାଲ୍ଡ ଇଗଲ୍ ରହିଛି। ଇଗଲ୍ର ଗୋଟିଏ ପଞ୍ଝାରେ ତୀର ଏବଂ ଅନ୍ୟ ପଞ୍ଝାରେ ଅଲିଭ୍ ଶାଖା ରହିଛି। ଏହାର ରିବନ୍ରେ ଲାଟିନ୍ ବାକ୍ୟ ‘ଇ ପ୍ଲୁରିବସ ଉନମ୍ (E PLURIBUS UNUM)’ ଲେଖାଯାଇଛି, ଯାହାର ଅର୍ଥ ‘ଅନେକରୁ ଏକ’।
ଏବେ ଆସନ୍ତୁ ଜାଣିବା ଏହି କଏନ୍ର ଦାମ। ୨୫ଟି କଏନ୍ର ଗୋଟିଏ ରୋଲ୍ର ମୂଲ୍ୟ ୬୧ ଡଲାର ରଖାଯାଇଛି। ସେହିପରି ୧୦୦ଟି କଏନ୍ ଥିବା ଗୋଟିଏ ବ୍ୟାଗ୍ର ଦାମ ୧୫୪.୫୦ ଡଲାର। ଅର୍ଥାତ୍ ଏଗୁଡ଼ିକୁ ୧ ଡଲାର ମୂଲ୍ୟର କଏନ୍ ହୋଇଥିଲେ ମଧ୍ୟ, ରୋଲ୍ କିମ୍ବା ବ୍ୟାଗ୍ ଆକାରରେ ଅଧିକ ଦାମରେ କିଣିବାକୁ ପଡ଼ୁଛି।
ତେବେ ଏଥିରେ ରହିଛି ଆଉ ଏକ ରୋଚକ ସରପ୍ରାଇଜ୍। ୟୁଏସ୍ ମିଣ୍ଟ୍ କିଛି ବିଶେଷ କଏନ୍କୁ ଏହି ରୋଲ୍ ଓ ବ୍ୟାଗ୍ ଭିତରେ ବିକ୍ଷିପ୍ତ ଭାବେ ରଖିଛି। ସେହି ସ୍ୱତନ୍ତ୍ର କଏନ୍ଗୁଡ଼ିକରେ ‘July 4’ ଲେଖା ରହିବ। ଏହି କଏନ୍ଗୁଡ଼ିକୁ ଜୁଲାଇ ୪ରେ ଢଳାଯାଇଥିଲା, ଯାହା ଆମେରିକାର ସ୍ୱାଧୀନତା ଘୋଷଣାର ବାର୍ଷିକୀ ଦିନ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କଏନ୍ଗୁଡ଼ିକ ଆଇନଗତ ମୁଦ୍ରା ଭାବେ ମାନ୍ୟତା ପାଇଛି। ଅର୍ଥାତ୍ ଏଗୁଡ଼ିକୁ ଦେୟ ପ୍ରଦାନରେ ବ୍ୟବହାର କରାଯାଇପାରିବ।
ତେବେ ଜୀବିତ ରାଷ୍ଟ୍ରପତିଙ୍କ ଚିତ୍ରକୁ ନେଇ ଆମେରିକୀୟ ଆଇନରେ ଥିବା ନିୟମ ଯୋଗୁଁ ଏହି କଏନ୍କୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି। ବିଶେଷ ପରିସ୍ଥିତିରେ ଟ୍ରେଜରୀ ସେକ୍ରେଟାରୀଙ୍କ ଅନୁମତି ମାଧ୍ୟମରେ ଏଭଳି ବିଶେଷ କଏନ୍ ଜାରି କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ସାଧାରଣତଃ ଜୀବିତ ରାଷ୍ଟ୍ରପତିଙ୍କ ଚିତ୍ର ଆମେରିକୀୟ ମୁଦ୍ରାରେ ରଖିବା ଉପରେ ଆଇନଗତ ନିୟମ ରହିଛି। ତଥାପି ସ୍ମାରକ କଏନ୍ ଭାବେ ଏହାକୁ ଜାରି କରାଯାଇଛି। କଏନ୍ଗୁଡ଼ିକ ଆଇନଗତ ମୁଦ୍ରା ଭାବେ ବ୍ୟବହାରଯୋଗ୍ୟ ବୋଲି ମଧ୍ୟ ଆମେରିକାର ଟକସାଲ ପକ୍ଷରୁ କୁହାଯାଇଛି।

