ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେବାକୁ ଥିବା ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣ ଦାୟିତ୍ୱ ତୁଲାଇବେ । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ଷ୍ଟାଫ୍ଙ୍କ ଅନୁମୋଦିତ ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି । ଲକ୍ଷ୍ମଣଙ୍କ କୋଚିଂ ଟିମ୍ରେ ସୁନୀଲ ଜୋଶୀ, ଋଷିକେଶ କାନିଟକର ଏବଂ ସୁଭଦୀପ ଘୋଷ ପ୍ରମୁଖ ସାମିଲ ରହିବେ । ସୂଚନାଯୋଗ୍ୟ ଯେ, ୨୦୨୩ରେ ଚୀନର ହାଙ୍ଗଝୋଉଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ମଧ୍ୟ ଲକ୍ଷ୍ମଣ ଭାରତୀୟ ଦଳର କୋଚ୍ ରହିଥିଲେ, ଯେଉଁଠାରେ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।
ଦଳର ନିୟମିତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏସୀୟ କ୍ରୀଡ଼ା ପାଇଁ ଜାପାନ ଗସ୍ତ କରିବେ ନାହିଁ । ସେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ପାଇଁ ସୀନିୟର ଭାରତୀୟ ଦଳ ସହ ରହିବେ । ଏସୀୟ କ୍ରୀଡ଼ାରେ କ୍ରିକେଟ୍ ମ୍ୟାଚ୍ ସେପ୍ଟେମ୍ବର ୨୪ରୁ ଆରମ୍ଭ ହେଉଥିବା ବେଳେ ଭାରତୀୟ ପୁରୁଷ ଟିମ୍ ଏହାର ୪ ଦିନ ପରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଅନ୍ୟପଟେ ଭାରତୀୟ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ଅମୋଲ ମଜୁମଦାର ନିଜର ଦାୟିତ୍ୱ ଜାରି ରଖିବେ । ତାଙ୍କ ସହାୟତା ପାଇଁ ବୋଲିଂ କୋଚ୍ ଆବିଷ୍କାର ସାଲଭି ଏବଂ ଫିଲ୍ଡିଂ କୋଚ୍ ମୁନୀଶ ବାଲି ରହିବେ । ଗତଥର ଋଷିକେଶ କାନିଟକରଙ୍କ କୋଚିଂରେ ମହିଳା ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା ।

