Latest Odisha News

BREAKING NEWS

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଫାୟାର୍ ଆଲାର୍ମ ଓ ସ୍ପ୍ରିଙ୍କଲର ଖରାପ ଥିବାରୁ ଖାଲି କରିବାକୁ ଆଦେଶ

କୋଲକାତା: ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍ ସ୍ଥିତ ତାଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନି ନିରାପତ୍ତା ଆଇନର ଗୁରୁତର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ଆସିଛି । ପଶ୍ଚିମବଙ୍ଗ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ଏହି ବହୁମହଲା କୋଠାର ବେସମେଣ୍ଟ୍ ସମେତ ଷଷ୍ଠ ଏବଂ ସପ୍ତମ ମହଲାକୁ ତୁରନ୍ତ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଏହି ଷଷ୍ଠ ଓ ସପ୍ତମ ମହଲାରେ ଅଭିଷେକ ବାନାର୍ଜୀ ନିଜର ଦଳୀୟ କାର୍ଯ୍ୟାଳୟ ଚଳାଉଛନ୍ତି ।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୦ ତାରିଖରୁ ଉକ୍ତ ବିଲ୍ଡିଂର ଫାୟାର୍ ସେଫ୍ଟି ସାର୍ଟିଫିକେଟ ମିଆଦ ଶେଷ ହୋଇଯାଇଛି ଏବଂ ଏହାକୁ ଏପର୍ଯ୍ୟନ୍ତ ନବୀକରଣ କରାଯାଇ ନାହିଁ । ନିକଟରେ ଅଗ୍ନିଶମ ଅଧିକାରୀମାନେ ଉକ୍ତ କୋଠାରେ ଯାଞ୍ଚ କରିବା ବେଳେ ଏକାଧିକ ସୁରକ୍ଷା ଜନିତ ତ୍ରୁଟି ଧରିଥିଲେ । ବିଶେଷ କରି ଫାୟାର୍ ଆଲାର୍ମ୍ ସିଷ୍ଟମ୍ ଏବଂ ସ୍ପ୍ରିଙ୍କଲର ଠିକ୍ ଭାବେ କାମ କରୁନଥିବା ବେଳେ ଜରୁରୀକାଳୀନ ପ୍ରସ୍ଥାନ ପଥ ଗୁଡ଼ିକ ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିସହ ନିଆଁ ଲିଭାଇବା ପାଇଁ ପର୍ଯ୍ୟାପ୍ତ ଜଳର ବ୍ୟବସ୍ଥା ନଥିବା ମଧ୍ୟ ଜଣାପଡ଼ିଥିଲା ।

ଏହିସବୁ ଗମ୍ଭୀର ତ୍ରୁଟି ପାଇବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଲ୍ଡିଂ ମାଲିକଙ୍କୁ ପ୍ରଥମେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ପାର୍ ହେବା ପରେ ମଧ୍ୟ କୌଣସି ଜବାବ ନମିଳିବାରୁ ପଶ୍ଚିମବଙ୍ଗ ଫାୟାର ସର୍ଭିସେସ୍ ଆକ୍ଟର ଧାରା ୧୧(ସି) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେପର୍ଯ୍ୟନ୍ତ ନିରାପତ୍ତା ବ୍ୟବସ୍ଥାକୁ ସୁଧାରି ନୂଆ ପ୍ରମାଣପତ୍ର ହାସଲ କରାଯାଇ ନାହିଁ, ସେପର୍ଯ୍ୟନ୍ତ ଏହି ମହଲାଗୁଡ଼ିକର ବ୍ୟବହାର ଉପରେ ରୋକ୍ ଲଗାଯାଇଛି ।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ କୋଲକାତା ମ୍ୟୁନିସିପାଲ୍ କର୍ପୋରେସନ୍ ଅଧିକାରୀମାନେ ଉକ୍ତ ଅଫିସ୍ ସାମ୍ନାରୁ ଏକ ବେଆଇନ୍ ହୋର୍ଡିଂ ହଟାଇବାକୁ ଯାଇଥିବା ବେଳେ ଟିଏମସି ସମର୍ଥକ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଅଭିଷେକ ବାନାର୍ଜୀ ଦେଶ ବାହାରେ ଥିବାରୁ, ଅଗ୍ନିଶମ ବିଭାଗର ଏହି ନିର୍ଦ୍ଦେଶ ଉପରେ ତାଙ୍କ କର୍ମଚାରୀମାନେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.