ୱାଶିଂଟନ୍: ଇରାନ୍ ସହ ଚାଲିଥିବା ସାମରିକ ସଂଘର୍ଷ ଏବଂ ଗୁପ୍ତ ଯୁଦ୍ଧ କୌଶଳ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆମେରିକା ପ୍ରଶାସନରେ ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ୍’ରୁ ଅତି ଗୋପନୀୟ ତଥ୍ୟ ଲିକ୍ ହେବା ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗମ୍ଭୀରତାର ସହ ନେଇଛନ୍ତି। ଗୁପ୍ତ ସୂଚନା କିଏ ଏବଂ କାହିଁକି ବାହାରକୁ ପଠାଉଛି, ତାହାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ଶୀର୍ଷ ସାମରିକ ଅଧିକାରୀ ଓ ଜେନେରାଲ୍ମାନଙ୍କର ଲାଇ-ଡିଟେକ୍ଟର (ପଲିଗ୍ରାଫ୍) ପରୀକ୍ଷା କରାଯାଉଛି।
ରିପୋର୍ଟ ଅନୁସାରେ, ‘ଜଏଣ୍ଟ ଷ୍ଟାଫ୍’ରେ କାର୍ଯ୍ୟରତ ପ୍ରାୟ ୫୦ ଜଣ ଉଚ୍ଚପଦସ୍ଥ ସେନା ଅଧିକାରୀ ଏବଂ ବେସାମରିକ କର୍ମଚାରୀଙ୍କୁ ଏହି ସତ୍ୟ ସନ୍ଧାନ ପରୀକ୍ଷାର ସାମ୍ନା କରିବାକୁ ପଡ଼ିଛି। ଇରାନ୍ ବିପକ୍ଷରେ ଆମେରିକାର ଗୁଳିଗୋଳା ହ୍ରାସ ପାଇବା, କ୍ଷେପଣାସ୍ତ୍ର ମହଜୁଦ୍ ଏବଂ ଆକାଶମାର୍ଗର ଯୁଦ୍ଧ କୌଶଳ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ଗଣମାଧ୍ୟମକୁ ଲିକ୍ ହୋଇଥିଲା। ଏହି ଘଟଣା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କ ସମେତ ସମଗ୍ର ପ୍ରଶାସନକୁ ଚକିତ କରିଦେଇଛି।
ଜାତୀୟ ସୁରକ୍ଷା ପ୍ରତି ଏହା ବଡ଼ ବିପଦ ସୃଷ୍ଟି କରୁଥିବାରୁ ଟ୍ରମ୍ପ ପ୍ରଶାସନ ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ବଡ଼ ଆଭିମୁଖ୍ୟ ଗ୍ରହଣ କରିଛି। ଗୋପନୀୟତା ଭଙ୍ଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜେଲ୍ ପଠାଯିବ ବୋଲି ଚେତାବନୀ ଦିଆଯାଇଛି। ପେଣ୍ଟାଗନ୍ର ଏଭଳି ଅଭୂତପୂର୍ବ ପଦକ୍ଷେପ ଆମେରିକା ସେନା ଓ ଗୁପ୍ତଚର ସଂସ୍ଥା ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷ ଏବଂ ଅବିଶ୍ୱାସକୁ ପଦାରେ ପକାଇଛି।

