ନ୍ୟୁୟର୍କ: ଦଶନ୍ଧି ଦଶନ୍ଧି ଧରି ଆମେ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛୁ, ସେଥିରେ ଆଫ୍ରିକାର ଆକାର ବାସ୍ତବତା ଠାରୁ ଅନେକ ଛୋଟ ଦେଖାଯାଏ। ଏବେ ଏହି ଚିତ୍ର ବଦଳାଇବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଜାତିସଂଘ ମହାସଭା ବିଶ୍ୱର ଏକ ନୂଆ ମାନଚିତ୍ର ପ୍ରୋଜେକ୍ସନ୍କୁ ପ୍ରୋତ୍ସାହନ ଦେବା ସପକ୍ଷରେ ପ୍ରସ୍ତାବକୁ ସମର୍ଥନ କରିଛି। ଏହି ପ୍ରସ୍ତାବରେ ୧୬୪ଟି ଦେଶ ସମର୍ଥନରେ ଭୋଟ୍ ଦେଇଥିବା ବେଳେ କେବଳ ଆମେରିକା ବିରୋଧ କରିଛି। ଯେତେବେଳେ କି ସର୍ବିଆ, ଏଷ୍ଟୋନିଆ, ଜର୍ଜିଆ, ଲିଥୁଆନିଆ, ମୋଲଡୋଭା ଏବଂ ୟୁକ୍ରେନ୍ ଭୋଟିଂରୁ ଦୂରେ ରହିଥିଲେ।
ଏହି ପଦକ୍ଷେପ ପଛରେ ଆଫ୍ରିକୀୟ ଦେଶଗୁଡ଼ିକର ଦୀର୍ଘଦିନର ଅଭିଯାନ ରହିଛି। ଟୋଗୋ ଏହି ପ୍ରସ୍ତାବକୁ ଜାତିସଂଘ ମହାସଭାରେ ଉପସ୍ଥାପନ କରିଥିଲା ଏବଂ ଆଫ୍ରିକୀୟ ୟୁନିଅନ୍ର ସଦସ୍ୟ ଦେଶଗୁଡ଼ିକ ଏହାକୁ ସମର୍ଥନ କରିଥିଲେ। ଜାତିସଂଘ ସରକାର ଏବଂ ବିଭିନ୍ନ ସଂସ୍ଥାକୁ ପାରମ୍ପରିକ ମରକେଟର ପ୍ରୋଜେକ୍ସନ(ଯେଉଁଥିରେ ମୂଳ ରୂପକୁ କିଛି ପ୍ରସାରଣ କିମ୍ବାର ସଂକୁଚିତ କରାଯାଇ ପ୍ରକାଶ କରାଯାଏ) ବଦଳରେ ଇକ୍ବାଲ ଅର୍ଥ ପ୍ରୋଜେକ୍ସନ(ଯେଉଁଥିରେ ମୂଳ ରୂପର ଅତି ନିକଟ ଆକାର ପ୍ରକାଶ କରାଯାଏ) ବ୍ୟବହାର କରିବାକୁ ଉତ୍ସାହିତ କରିଛି।
ବର୍ତ୍ତମାନ ବିଶ୍ୱରେ ସବୁଠାରୁ ପରିଚିତ ମାନଚିତ୍ରଗୁଡ଼ିକ ମଧ୍ୟରୁ ମରକେଟର ପ୍ରୋଜେକ୍ସନ(Mercator Projection) ଅନ୍ୟତମ। ଏହାକୁ ୧୬ଶ ଶତାବ୍ଦୀରେ ଫ୍ଲେମିଶ୍ କାର୍ଟୋଗ୍ରାଫର୍ ଗେରାର୍ଡସ୍ ମର୍କେଟର୍ ପ୍ରସ୍ତୁତ କରିଥିଲେ। ମୂଳତଃ ସମୁଦ୍ରରେ ନାବିକମାନଙ୍କୁ ଦିଗ ନିର୍ଣ୍ଣୟରେ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କିନ୍ତୁ ପୃଥିବୀର ଗୋଲାକାର ଆକାରକୁ ଏକ ସମତଳ କାଗଜରେ ଦେଖାଇବା ସମୟରେ ଭୂଭାଗର ପ୍ରକୃତ ଆକାରରେ ବିକୃତି ଦେଖାଯାଏ। ଉଦାହରଣ ସ୍ବରୂପ Mercator ମାନଚିତ୍ରରେ ଗ୍ରୀନଲ୍ୟାଣ୍ଡ ଓ ଆଫ୍ରିକା ପ୍ରାୟ ସମାନ ଆକାରର ଦେଖାଯାଏ। କିନ୍ତୁ ବାସ୍ତବ କ୍ଷେତ୍ରଫଳ ହିସାବରେ ଆଫ୍ରିକା ଗ୍ରୀନଲ୍ୟାଣ୍ଡଠାରୁ ପ୍ରାୟ ୧୪ ଗୁଣ ବଡ଼। କିନ୍ତୁ ‘Equal Earth’ ମାନଚିତ୍ରରେ ମହାଦେଶଗୁଡ଼ିକୁ ସେମାନଙ୍କ ବାସ୍ତବ ଆକାରର ଅଧିକ ନିକଟରେ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେଣୁ ଏଥିରେ ଆଫ୍ରିକା ମାନଚିତ୍ରରେ ଅଧିକ ବଡ଼ ଦେଖାଯିବ। ସମର୍ଥକମାନଙ୍କ ମତରେ, ଏହା ଲୋକଙ୍କୁ ବିଶ୍ୱର ବିଭିନ୍ନ ଦେଶ ଓ ମହାଦେଶର ପ୍ରକୃତ ଆକାର ବିଷୟରେ ଅଧିକ ସଠିକ୍ ଧାରଣା ଦେବ।
ତେବେ ଏହି ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ଟୋଗୋର ବିଦେଶମନ୍ତ୍ରୀ ରବର୍ଟ ଡୁସି ମାନଚିତ୍ରର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ତାଙ୍କ କହିବା ଅନୁସାରେ, ମାନଚିତ୍ର କେବଳ ଭୌଗୋଳିକ ସୂଚନା ଦିଏନାହିଁ; ଏହା ବିଶ୍ୱ ବିଷୟରେ ଆମର ଧାରଣା, ଶିକ୍ଷା ଏବଂ ସାମୂହିକ ଚିନ୍ତାଧାରାକୁ ମଧ୍ୟ ପ୍ରଭାବିତ କରେ। ଏହି କାରଣରୁ ଆଫ୍ରିକୀୟ ଦେଶଗୁଡ଼ିକ ଦୀର୍ଘଦିନ ଧରି ମାନଚିତ୍ରରେ ଆଫ୍ରିକାର ପ୍ରକୃତ ଭୌଗୋଳିକ ଆକାରକୁ ଅଧିକ ସଠିକ୍ ଭାବରେ ଦେଖାଇବା ପାଇଁ ଦାବି କରିଆସୁଥିଲେ।
ଜାତିସଂଘର ଏହି ପଦକ୍ଷେପକୁ ଅନେକ ଦେଶ ସ୍ୱାଗତ କରିଛନ୍ତି। ଫ୍ରାନ୍ସର ବିଦେଶମନ୍ତ୍ରୀ ଜିନ୍-ନୋଏଲ୍ ବାରୋ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ କହିଥିଲେ ଯେ, ମାନଚିତ୍ର ବଦଳାଇଦେଲେ ନିଶ୍ଚିତ ଭାବରେ ସାରା ବିଶ୍ୱ ବଦଳିଯିବ ନାହିଁ। କିନ୍ତୁ ଯଦି କୌଣସି ମାନଚିତ୍ର ବିଶ୍ୱକୁ ଭୁଲ୍ ଅନୁପାତରେ ଦେଖାଉଛି, ତେବେ ତାହାକୁ ଅଧିକ ସଠିକ୍ ଭାବରେ ଦେଖାଇବା ସତ୍ୟ ଦିଗରେ ଏକ ପଦକ୍ଷେପ।
Mercator Projectionର ସବୁଠାରୁ ବଡ଼ ସମସ୍ୟା ହେଉଛି, ପୃଥିବୀର ଗୋଲାକାର ପୃଷ୍ଠକୁ ସମତଳ ମାନଚିତ୍ରରେ ଦେଖାଇବା ବେଳେ ଧ୍ରୁବ ଅଞ୍ଚଳ ନିକଟର ଭୂଭାଗଗୁଡ଼ିକ ତୁଳନାମୂଳକ ଭାବେ ବଡ଼ ଦେଖାଯାଏ। ଫଳରେ ଗ୍ରୀନଲ୍ୟାଣ୍ଡ, ଉତ୍ତର ଆମେରିକା ଭଳି ଅଞ୍ଚଳ ବାସ୍ତବ ଆକାରଠାରୁ ବଡ଼ ଦେଖାଯାଏ। ଅନ୍ୟପଟେ ଆଫ୍ରିକା ଓ ଦକ୍ଷିଣ ଆମେରିକା ଭଳି ଅଞ୍ଚଳ ତୁଳନାମୂଳକ ଭାବେ ଛୋଟ ଦେଖାଯାଏ। ତେବେ ଏହା ମନେ ରଖିବା ଜରୁରୀ ଯେ Mercator Projection ଏହି ବିକୃତିକୁ ଜାଣିଶୁଣି କରିଥିବା କୌଣସି ‘ଭୁଲ୍ ମାନଚିତ୍ର’ ନୁହେଁ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ନାଭିଗେସନ୍କୁ ସହଜ କରିବା। ତେଣୁ ଜାତିସଂଘର ଏହି ନିଷ୍ପତ୍ତିର ଅର୍ଥ ଏହା ନୁହେଁ ଯେ Mercator Projection ଉପରେ ବ୍ୟାନ୍ ଲାଗିଗଲା କିମ୍ବା ଏହାକୁ ତୁରନ୍ତ ବଦଳାଇବା ବାଧ୍ୟତାମୂଳକ ହୋଇଛି। ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାର ଏବଂ ବିଭିନ୍ନ ସଂସ୍ଥାକୁ ‘Equal Earth’ Projection ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବା। ଆବଶ୍ୟକତା ଅନୁସାରେ ଅନ୍ୟ ମାନଚିତ୍ର ପ୍ରୋଜେକ୍ସନ୍ର ବ୍ୟବହାର ମଧ୍ୟ ଜାରି ରହିପାରିବ।
ଆଫ୍ରିକୀୟ ଦେଶ ଏବଂ ଏହି ଅଭିଯାନ ସହ ଜଡ଼ିତ ସଂଗଠନଗୁଡ଼ିକ ଦୀର୍ଘ ସମୟ ଧରି କହିଆସୁଛନ୍ତି ଯେ ବିଶ୍ୱର ମାନଚିତ୍ରରେ ଆଫ୍ରିକାର ପ୍ରକୃତ ଆକାର ଲୋକଙ୍କ ସାମ୍ନାରେ ଅଧିକ ସଠିକ୍ ଭାବରେ ଆସିବା ଦରକାର। ଏବେ ଜାତିସଂଘ ମହାସଭାରେ ୧୬୪ ଦେଶର ସମର୍ଥନ ମିଳିବା ଆଫ୍ରିକୀୟ ଦେଶଗୁଡ଼ିକ ପାଇଁ ଏକ ବଡ଼ କୂଟନୈତିକ ଏବଂ ପ୍ରତୀକାତ୍ମକ ସଫଳତା ଭାବେ ଦେଖାଯାଉଛି।

