Latest Odisha News

BREAKING NEWS

ଚୀନ୍ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଖୁଲାସା: ସି ଜିନପିଙ୍ଗଙ୍କୁ ଆସିଛି ଦୁଇଟି ହାର୍ଟ ଆଟାକ୍!

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ତିବ୍ବତର ନିର୍ବାସିତ ସରକାରଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଲୋବସାଙ୍ଗ ସାଙ୍ଗେ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କ ଦାବି ଅନୁଯାୟୀ, କାମର ଅତ୍ୟଧିକ ଚାପ ଯୋଗୁଁ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଦୁଇ ଥର ହୃଦଘାତ ହୋଇସାରିଛି । ନିକଟରେ ଏକ ପଡକାଷ୍ଟ୍ ସାକ୍ଷାତକାର ବେଳେ ସେ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ।

ଲୋବସାଙ୍ଗ କହିଛନ୍ତି ଯେ, ଚୀନର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ଏବଂ ସେହି ଅଧିକାରୀ ହିଁ ତାଙ୍କୁ ଏହି ଗୋପନୀୟ ସୂଚନା ଦେଇଥିଲେ । ନିକଟରେ କିର୍ଗିଜସ୍ତାନର ବିଶକେକ୍ ଠାରେ ଏସସିଓ ସମ୍ମିଳନୀରେ ଜିନପିଙ୍ଗ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଏକ ସ୍ୱତନ୍ତ୍ର ବିମାନରୁ ଓହ୍ଲାଇବା ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ସେ ଖୁବ୍ ଦୁର୍ବଳ ଥିବା ଏବଂ ନିଜ ପତ୍ନୀ ପେଙ୍ଗ୍ ଲିୟୁଆନ୍‌ଙ୍କ ସାହାରାରେ ତଳକୁ ଓହ୍ଲାଉଥିବାର ଦେଖିବାକୁ ମିଳିଥିଲା । ତାଙ୍କ ମୁହଁ ଫୁଲିଥିବା ଏବଂ ଚାଲିବାରେ କଷ୍ଟ ଅନୁଭବ ହେଉଥିବା ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

କେବଳ ସ୍ୱାସ୍ଥ୍ୟ ନୁହେଁ, ମାନସିକ ଥକ୍କାପଣ ବା ‘ମେଣ୍ଟାଲ ଫଗ୍’ କାରଣରୁ ଜିନପିଙ୍ଗ ନିଷ୍ପତ୍ତି ନେବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଲୋବସାଙ୍ଗ ଦାବି କରିଛନ୍ତି। ଏହି କାରଣରୁ ଚୀନର କିଛି ବରିଷ୍ଠ ସାମରିକ ଜେନେରାଲ ଏବଂ ପ୍ରତିରକ୍ଷା ମନ୍ତ୍ରୀ ହଠାତ୍ ନିଖୋଜ ହୋଇଯିବା କିମ୍ବା ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବା ଭଳି ଘଟଣା ଘଟୁଛି ।

ଏହା ସହିତ ଉତ୍ତରାଧିକାରୀ ଚୟନକୁ ନେଇ ଚୀନରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ବିଷୟରେ ମଧ୍ୟ ସେ ମତ ରଖିଛନ୍ତି । ଲୋବସାଙ୍ଗଙ୍କ ମତରେ ଜିନପିଙ୍ଗ ଏବେ ଏକ ବଡ଼ ଧର୍ମସଙ୍କଟ ବା “ସମ୍ରାଟଙ୍କ ଦ୍ୱନ୍ଦ୍ୱ”ରେ ପଡ଼ିଛନ୍ତି। ଚୀନର ଇତିହାସ କହୁଛି ଯେ, ଯଦି ସେ ନିଜର କୌଣସି ଉତ୍ତରାଧିକାରୀ ଘୋଷଣା କରନ୍ତି, ତେବେ ସମ୍ଭାବନା ଅଛି ଯେ ଉକ୍ତ ବ୍ୟକ୍ତି ତାଙ୍କ ବିରୋଧରେ ବିଦ୍ରୋହ କରି ବା ତାଙ୍କୁ ହତ୍ୟା କରି କ୍ଷମତା ଦଖଲ କରିବେ। ଅନ୍ୟପକ୍ଷରେ, ଯଦି ସେ ଉତ୍ତରାଧିକାରୀ ନବାଛନ୍ତି, ତେବେ ଭବିଷ୍ୟତରେ ଚୀନରେ ଗୃହଯୁଦ୍ଧ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଜିନପିଙ୍ଗ ଏପର୍ଯ୍ୟନ୍ତ ନିଜର ଉତ୍ତରାଧିକାରୀ କିଏ ହେବେ, ସେ ନେଇ ନିରବତା ଅବଲମ୍ବନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଲୋବସାଙ୍ଗ ସାଙ୍ଗେ ହେଉଛନ୍ତି କେନ୍ଦ୍ରୀୟ ତିବ୍ବତ ପ୍ରଶାସନର ପ୍ରାକ୍ତନ ରାଜନୈତିକ ମୁଖ୍ୟ। ତେଣୁ ତାଙ୍କର ଏହି ବୟାନ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ସବୁ ଦାବିକୁ ନେଇ ବର୍ତ୍ତମାନ ସୁଦ୍ଧା ଚୀନ୍ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.